ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ମୁମ୍ବାଇରେ ଧରାପଡ଼ିଥିବା ଫାତିମା ଖାନଙ୍କ ପୋଷ୍ଟକୁ ଗୋରଖପୁରର ଜଣେ ଯୁବକ ପୁନଃ ପୋଷ୍ଟ କରିଛନ୍ତି। ୟୁପି ପୁଲିସକୁ ଏକ ସଂଗଠନ ଏହି ସୂଚନା ଦେଇଛି। ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଗୋରଖପୁର ପୁଲିସର ସାଇବର ସେଲ୍ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣକ ପିପରାଇଚର ବାସିନ୍ଦା। ସେ ମୁମ୍ବାଇରେ ରୁହନ୍ତି ଏବଂ ଟେଲରିଂ କାମ କରନ୍ତି।
ମୁମ୍ବାଇର ଫାତିମା ଖାନ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିଲେ। ଫାତିମାଙ୍କୁ ରବିବାର ମୁମ୍ବାଇ ପୁଲିସ ଅଟକ ରଖିଥିଲା। ତଦନ୍ତରେ ସେ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଥିଲା। ପରେ ଛାଡ଼ି ଦେଇଥିଲା। ଫାତିମାଙ୍କ ଏହି ପୋଷ୍ଟକୁ ଗୋରଖପୁରର ରିୟାଜୁଲ ହକ୍ ଅନସାରୀ ନାମକ ଜଣେ ଯୁବକ ସୈଫ ଅନସାରୀ ନାମକ ତାଙ୍କ ଆକାଉଣ୍ଟରେ ପୁନଃ ପୋଷ୍ଟ କରିଛନ୍ତି।
ଏହି ପୋଷ୍ଟକୁ ଗ୍ରହଣ କରି ଭଏସ୍ ଅଫ୍ ହିନ୍ଦୁସ୍ ନାମକ ଏକ ସଂଗଠନ ସୈଫଙ୍କୁ ଆତଙ୍କବାଦୀ ବୋଲି କହି ପୁଲିସନିକଟରେ ଅଭିଯୋଗ କରିଥିଲା। ସେ ମଧ୍ୟ ଗୋରଖପୁରର ବାସିନ୍ଦା। ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗୋରଖପୁର ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୈଫଙ୍କ ଆକାଉଣ୍ଟକୁ ବ୍ଲକ କରିବା ସହ ତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି।
ଏସପି ସିଟି ଅଭିନବ ତ୍ୟାଗୀ କହିଛନ୍ତି ଯେ ଏହି ମାମଲା ବିଚାରାଧୀନ ଅଛି। ସାଇବର ଥାନା ଓ କ୍ରାଇମବ୍ରାଞ୍ଚ ଟିମ୍ ଧମକଦାତାଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ସେ ଗୋରଖପୁରର ପିପରାଇଚର ବାସିନ୍ଦା, ମୁମ୍ବାଇରେ ରୁହନ୍ତି ଏବଂ ଟେଲରିଂ କାମ କରନ୍ତି। ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।
ଅଧିକ ପଢ଼ନ୍ତୁ: ଗ୍ଲେସିୟର ହ୍ରଦର ଆକାର ୪୦ ପ୍ରତିଶତ ବୃଦ୍ଧି