ଡେରାଡୁନ୍: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗ୍ଲେସିୟର ଗୁଡ଼ିକ ଦ୍ରୁତଗତିରେ ତରଳିବାରେ ଲାଗିଛି। ଏହି କାରଣରୁ ଗ୍ଲେସିୟର ହ୍ରଦର ପରିସର କ୍ରମାଗତ ଭାବେ ବିପଜ୍ଜନକ ସ୍ଥିତି ଆଡକୁ ଗତି କରୁଛି। ୧୩ ବର୍ଷ ମଧ୍ୟରେ ହିମାଳୟ ଅଞ୍ଚଳରେ ଥିବା ଗ୍ଲେସିୟର ହ୍ରଦରେ ୩୩.୭ ପ୍ରତିଶତ ବୃଦ୍ଧି ଘଟିଛି। ଉତ୍ତରାଖଣ୍ଡ ସମେତ ୫ଟି ରାଜ୍ୟରେ ସ୍ଥିତି ଅଧିକ ଚିନ୍ତାଜନକ ରହିଛି। ଏଠାରେ ଗ୍ଲେସିୟର ହ୍ରଦର ଆକାର ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।
କେନ୍ଦ୍ରୀୟ ଜଳ ଆୟୋଗ (ଡିଡବ୍ଲ୍ୟୁସି)ର ସଦ୍ୟତମ ରିପୋର୍ଟରେ ଗ୍ଲେସିୟର ହ୍ରଦର ଆକାରରେ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଜଳ ଆୟୋଗ ୨୦୧୧ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ହିମାଳୟ ଗ୍ଲେସିୟର ହ୍ରଦର କ୍ଷେତ୍ରଫଳର ଆକଳନ କରିବା ପାଇଁ ଏକ ସ୍ଥିତି ଅଧ୍ୟୟନ କରିଥିଲେ। ଏଥିରୁ ଜଣାପଡିଛି ଯେ ଭାରତରେ ଗ୍ଲେସିୟର ହ୍ରଦର କ୍ଷେତ୍ରଫଳ ୧୯୬୨ ହେକ୍ଟର ଥିବା ବେଳେ ୨୦୨୪ ସେପ୍ଟେମ୍ବରରେ ଏହା ୨୬୨୩ ହେକ୍ଟରକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ୩୩.୭ ପ୍ରତିଶତ ରେକର୍ଡ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ଗ୍ଲେସିୟର ହ୍ରଦର ପରିସର ବୃଦ୍ଧି ସହିତ ଅନ୍ୟ ଜଳାଶୟରେ ମଧ୍ୟ ଜଳର ମାତ୍ରା ବୃଦ୍ଧି ପାଉଛି। ୨୦୧୧ମସିହାରେ ଗ୍ଲେସିୟର ହ୍ରଦ ସମେତ ଜଳଭଣ୍ଡାରର ସମୁଦାୟ କ୍ଷେତ୍ରଫଳ ୪.୩୩ ଲକ୍ଷ ହେକ୍ଟର ଥିବା ବେଳେ ଏବେ ଏହା ୧୦.୮୧ ପ୍ରତିଶତ ବୃଦ୍ଧି ପାଇ ୫.୯୧ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଉଚ୍ଚ ବିପଦପୂର୍ଣ୍ଣ ଗ୍ଲେସିୟର ହ୍ରଦ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ାଇଥାଏ। ଭୁଟାନ, ନେପାଳ ଓ ଚାଇନା ଭଳି ପଡ଼ୋଶୀ ଦେଶରେ ମଧ୍ୟ ବନ୍ୟା ଆଶଙ୍କା ଦେଖିବାକୁ ମିଳୁଛି।
କେନ୍ଦ୍ରୀୟ ଜଳ ଆୟୋଗର ରିପୋର୍ଟ ଅନୁଯାୟୀ, ଏଭଳି ୬୭ଟି ହ୍ରଦ ଚିହ୍ନଟ କରାଯାଇଛି, ଯେଉଁଥିରେ ଭୂପୃଷ୍ଠ ଅଞ୍ଚଳରେ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଉତ୍ତରାଖଣ୍ଡ ସମେତ ଲଦାଖ, ହିମାଚଳ ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ଏଭଳି ସ୍ଥିତି ସବୁଠାରୁ ଅଧିକ ରହିଛି। ଏଭଳି ହ୍ରଦଗୁଡ଼ିକ ଗ୍ଲାସିୟଲ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲ୍ଓଏଫ୍)ର ଅଧିକ ପ୍ରବଣ ଏବଂ ଘନିଷ୍ଠ ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ମହାକାଶଯାତ୍ରୀ କଲେ ଏମିତି ରେକର୍ଡ