ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସୀରେ ବରଯାତ୍ରୀ ଆସିବାର ଅଳ୍ପ ସମୟ ପୂର୍ବରୁ କନ୍ୟାଙ୍କୁ ଗୁଳି କରାଯାଇଛି। ବିଉଟିପାର୍ଲରେ ଗୁଳିମାଡ଼ର ଶିକାର ହୋଇଥିବା କନ୍ୟାର ଝାନ୍ସୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଘଟଣା ସମୟରେ କନ୍ୟାର ଭଉଣୀ ଓ ସାଙ୍ଗମାନେ ଥିଲେ। ସେମାନେ ଏହି ଘଟଣାକୁ ଆଖି ଆଗରେ ଦେଖି ସ୍ତବ୍ଧ ପାଲଟି ଯାଇଥିଲେ। ଗୁଳିମାଡ଼ ଘଟଣା ଜଣାପଡ଼ିବା ପରେ ଖୁସିର ଉତ୍ସବ ଦୁଃଖରେ ପରିଣତ ହୋଇଯାଇଥିଲା। ପୂରା ପରିବାର ଶୋକରେ ବୁଡ଼ିଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଦେଇଥିଲା।
ମଧ୍ୟପ୍ରଦେଶର ଦତିଆ ଜିଲ୍ଲା ସୋନାଗିରି ଥାନା ଅନ୍ତର୍ଗତ ବରଗାଁ ନିବାସୀ ୨୨ ବର୍ଷୀୟ କାଜଲଙ୍କ ବିବାହ ଝାନ୍ସୀରେ ରାଜ୍ ନାମକ ଜଣେ ଯୁବକଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ଝାନ୍ସୀର ମେରେଜ ହଲ୍ ‘ନିଶା ଗାର୍ଡେନ’ରେ ବିବାହ ପାଇଁ ଆୟୋଜନ ଜାରି ଥିଲା ଓ ସଂପର୍କୀୟମାନେ ଆସିବା ଆରମ୍ଭ କରିଦେଇଥିଲେ। ବିବାହ ପାଇଁ ବିବାହମଣ୍ଡପରେ ଗୀତ-ନାଚର ଆସର ଆରମ୍ଭ ହୋଇ ଯାଇଥିଲା। ବରଯାତ୍ରୀ ଆସିବା ପୂର୍ବରୁ କନ୍ୟା ନିକଟସ୍ଥ ବିଉଟିପାର୍ଲରକୁ ଯାଇଥିଲେ। ତାଙ୍କ ସହିତ ଭଉଣୀ ନେହା ଓ ଅନ୍ୟ ସାଙ୍ଗମାନେ ମଧ୍ୟ ଯାଇଥିଲେ।
କାଜଲ ପ୍ରସ୍ତୁତ ହେଉଥିଲେ। ତାଙ୍କର ମେକ୍ଅପ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା। ଏହି ସମୟରେ ମୁହଁରେ ରୁମାଲ ବାନ୍ଧି ଜଣେ ଯୁବକ ପହଞ୍ଚି ଥିଲା ଓ ସିନେମା ଷ୍ଟାଇଲରେ କହିବାକୁ ଲାଗିଲା କି କାଜଲ ବାହାରକୁ ଆସ। ତୁମେ ମତେ ଧୋକା ଦେଇଛ। କିନ୍ତୁ କାଜଲ ବାହାରକୁ ଯିବା ପାଇଁ ମନା କରିଥିଲେ। ଏହା ପରେ ଦୁର୍ବୃତ୍ତ ପାର୍ଲର ଭିତରକୁ ଲକ୍ଷ୍ୟ କରି ଗୁଳି ମାରିଥିଲା। ଗୁଳିମାଡ଼ର ଶିକାର ହେଲା ପରେ କାଜଲ ରକ୍ତ ଜୁଡୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ।
ସୂଚନା ପାଇଁ ପୁଲିସ ଟିମ୍ ଓ ଆମ୍ବୁଲାନ୍ସ ପହଞ୍ଚି ଥିଲା। କାଜଲଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁଳି ମାରିଥିବା ବ୍ୟକ୍ତି ଆଶିକ ବୋଲି କୁହାଯାଉଛି। ପୁଲିସ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରଖିଛି।