ନକଲି ସିମେଣ୍ଟ କାରଖାନାରେ ଚଢାଉ, ତିଆରି ହେଉଥିବା ସ୍ଥାନକୁ ସିଲ କରିବା ସହ ଜଣଙ୍କୁ ଅଟକ ରଖିଲା ପୋଲିସ କଟକ, ଜାନୁଆରୀ ୦୩(ଖବର ଓଡିଶା): Share story: ଥମିବାର ନା ଧରୁନି ନକଲି କାରବାର । ପୁଣି ନକଲି ସିମେଣ୍ଟ କାରଖାନାରେ ଚଢାଉ କରାଯାଇଛି । କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗାଁରେ ନକଲି ସିମେଣ୍ଟ ଜବତ ହୋଇଛି । ଦୀର୍ଘ ଦିନ ହେବ ମା ତାରିଣୀ କନଷ୍ଟ୍ରକସନ ନାମକ ଏକ ଘରୋଇ କନଷ୍ଟ୍ରକସନ କମ୍ପାରନୀରେ ଏହି ନକଳି ସିମେଣ୍ଟ ତିଆରି କରାଯାଉଥିଲା । ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ କୌଣସି ସୁତ୍ରରୁ ଜଗତପୁର ପୋଲିସ ଖବର ପାଇଥିଲା । ଏହାପରେ ଉକ୍ତ କନଷ୍ଟ୍ରକସନ ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହିତ ମାଲିକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଜିଲ୍ଲା ବାହାରୁ ଅଖା ଓ ମୁଣ୍ଡା ସିମେଣ୍ଟ ସହ ଆନୁସଙ୍ଗୀକ ଜିନିଷ ଆଣି ଏଠାରେ ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡିଛି । ତେବେ ଏହି ନକଲି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ସେହିପରି ଆଗରୁ କଟକ ଜିଲ୍ଲାରୁ ଅନେକ ଥର ନକଲି ଜିନିଷ ଜବତ ହୋଇଥିବା ଦେଖିବାକୁ ମିଳିଛି । ଖବର ଓଡ଼ିଶା, Reporter, 03/01/2022