ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ମତଦାନର ମାତ୍ର ପାଞ୍ଚ ଦିନ ପୂର୍ବରୁ ବଡ଼ ଧରଣର ଚଢ଼ାଉ କରିଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) | ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଜବତ ହୋଇଛି ପ୍ରାୟ ୫ କୋଟି ନଗଦ ଟଙ୍କା। ଏକ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ପାଣ୍ଠି ଯୋଗାଇବା ପାଇଁ ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଦ୍ୱାରା ପଠାଯାଇଥିବା ଅଭିଯୋଗ ହୋଇଛି। ଆସନ୍ତା ବିଧାନସଭା ନିର୍ବାଚନରେ ଏକ ଦଳର ସହାୟତା ଲାଗି ମହାଦେବ ବେଟିଂ ଆପର ଜଣେ ପ୍ରମୋଟର ଏହି ଟଙ୍କା କୋରିଅର କରିଥିଲେ । ଛତିଶଗଡ଼ ବିଧାନସଭା ନିର୍ବାଚନରେ ଏହି ଟଙ୍କାର ବ୍ୟବହାର ହୋଇଥାନ୍ତା ବୋଲି ଜଣାଯାଇଛି।
ଇଡିର ସୂଚନା ଅନୁସାରେ ରାୟପୁରରେ ଏକ ହୋଟେଲର ପାର୍କିଂ ଏରିଆରେ ଥିବା ଏକ କାର୍ରୁ ୩ କୋଟି ୧୨ ଲକ୍ଷ ଟଙ୍କା ମିଳିଥିଲା। ଏଥିସହ ଭିଲାଇରେ ଏକ ଘରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏସବୁ ଟଙ୍କା ୟୁଏଇରୁ ପଠାଯାଇଥିବା ଜଣାପଡ଼ିଛି। ସେପ୍ଟେମ୍ବରରେ, ମହାଦେବ ବେଟିଂ ଆପ୍ ସହିତ ସଂଯୁକ୍ତ ୩୯ଟି ସ୍ଥାନରେ ସର୍ଚ୍ଚ କରିବାବେଳେ ଇଡି ୪୧୭ କୋଟି ମୂଲ୍ୟର ସୁନା , ଅଳଙ୍କାର ଏବଂ ନଗଦ ଟଙ୍କା ଉଦ୍ଧାର କରିଥିଲା। ଏହି ଆପର ପ୍ରମୋଟରମାନେ ସୌରଭ ଚନ୍ଦ୍ରକର ଏବଂ ରବି ଉପପାଲ ଛତିଶଗଡର ଭିଲାଇର ଅଟନ୍ତି ଏବଂ ବର୍ତ୍ତମାନ ସେମାନେ ୟୁଏଇରେ ରହିଛନ୍ତି। ଏଜେନ୍ସି ପୂର୍ବରୁ କହିଥିଲା ଯେ ଏହି ଆପରେ ହଜାରେ କୋଟି କାରବାର ହେବ ଏବଂ ଦିନକୁ ୨୦୦ କୋଟି ଲାଭ ହେବ। ଏହି ଠକେଇରେ ଅନେକଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ୍ କର୍ମଚାରୀ, ରାଜନେତା ଓ ଅମଲାତନ୍ତ୍ରଙ୍କ ଏଥିରେ ସମ୍ପୃକ୍ତି ସନ୍ଦେହ କରାଯାଉଛି। ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଏହି ଟଙ୍କାର ଡିଲିଭରିରେ କିଛି ସରକାରୀ କର୍ମଚାରୀଙ୍କର ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କୁ ଚିହ୍ନଟ କରାଯାଇସାରିଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ : ଲାଞ୍ଚ ମାଗିବା ଅଭିଯୋଗରେ ଗିରଫ ହେଲେ ୨ ଇଡି ଅଧିକାରୀ