ରାୟଗଡା: ରାୟଗଡା ଜିଲ୍ଲା ଟିକିରି ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା । ୪ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବା ସହ ଚୋରି ସାମଗ୍ରୀ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବଡଚେକା ଗ୍ରାମର ପ୍ରଫୁଲ ପାଣି, ଜାମୁଗୁଡା ଗ୍ରାମର ଏଲ ଏନ ସାହୁ, ମଣ୍ଡୁଳଗୁଡା ଗ୍ରାମର ରମେଶ ହିଆଲ ଏବଂ କେଶକାପାଡି ଗ୍ରାମର ପ୍ରଶାନ୍ତ କୁଲେସିକା । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ନେଇ ରାୟଗଡ଼ା ଏସଡିପିଓ ରଶ୍ମିରଞ୍ଜନ ସେନାପତି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ ନଭେମ୍ବର ୨୧ ତାରିଖରେ ଟିକିରି ଥାନା ଅନ୍ତର୍ଗତ କୋଡିଙ୍ଗା ଗ୍ରାମର ବାସିନ୍ଦା ଦିବ୍ୟାଙ୍ଗ ରାମ ସାହୁଙ୍କ ଘରର ଆଜବେଷ୍ଟସ୍ ଭାଙ୍ଗି ଘରେ ପଶିଥିଲେ ଏକ ଡକାୟତ ଗ୍ୟାଙ୍ଗ୍ । ଦିବ୍ୟାଙ୍ଗ ଦମ୍ଫତିଙ୍କୁ ହାତ ଗୋଡ଼ ବାନ୍ଧି ଟଙ୍କା, ସୁନା ସହ ମୋବାଇଲ ଲୁଟି ନେଇ ଥିଲେ । ସେହିପରି ଗତ ନଭେମ୍ବର ମାସ ୨୫ ତାରିଖରେ ଜାମୁଗୁଡା ଭାରତଗ୍ୟାସ ଅଫିସ ନିକଟରେ ରହୁଥିବା ଗୌରୀଶଙ୍କର ଚୌଧୁରୀଙ୍କ ଘରୁ ମଧ୍ୟ ଚୋରି ହୋଇଥିଲା । ସମାନଭାବେ ଦମ୍ପତିଙ୍କୁ ବାନ୍ଧି ସୁନା, ଟଙ୍କା ଓ ୨ଟି ମୋବାଇଲ ଫୋନ ଚୋରି କରି ନେଇଥିଲେ ।
ଏନେଇ ଟିକିରି ଥାନାରେ ୨୩ ତାରିଖରେ କେସ ନଂ ୧୯୧ୟୁଏସ ୩୩୧(୪), ୩୦୯(୪)/୩(୫), ବିଏନ ଏସ ୩୩୧(୪)୩୧୦(୨) ଓ କେଶ ନଂ୧୯୩ୟୁଏସ ୩୩୧(୪)୩୧୦(୨) କେଶ ରୁଜୁ ହୋଇଥିଲା । ଟିକିରି ଥାନା ଆଇଆଇସି ବିଶ୍ଵବନ୍ଦିନୀ ବାଗଙ୍କ ନେତୃତ୍ଵରେ ଏସଆଇ ମନୋଜ ଜେନା, ମହେନ୍ଦ୍ର ହାଂସଦା, ମହେଶ୍ଵର ପାଇକ, ତ୍ରୀନାଥ ତଟପାଡିଆ, ଏଏସ ଆଇ ନରେସ କୁମାର ରାଉଳକୁ ନେଇ ଏକ ଟିମ ଗଠନ କରାଯାଇଥିଲା । ପୁଲିସ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି, ଡକାୟତମାନଙ୍କୁ ଧରିବାରେ ସଫଳ ହୋଇଛି ।
ସାଇବର ଟିମ ସାହାଯ୍ୟରେ ଚୋରି ହୋଇଥିବା ୧୮ଗ୍ରାମ ସୁନା, ୭୫୦୦ ଟଙ୍କା ଓ ଚୋରି ହୋଇଥିବା ଗୋଟିଏ ମୋବାଇଲ, ଡକାୟତମାନେ ବ୍ୟବହାର କରୁଥିବା ୨ଟି ମୋବାଇଲ ଏବଂ ଏକ ବାଇର (ଓଆର୍ ୦୨ଏ ୮୩୧୪) ଜବତ କରାଯାଇଛି । ସେହିପରି ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।