ସୁରଟ: ଗୁଜୁରାଟ ସୁରତରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଏକ ହୀରା କମ୍ପାନୀରେ ବିଷାକ୍ତ ପାଣି ପିଇ ଶତାଧିକ କର୍ମଚାରୀ ଗୁରୁତର ହୋଇପଡ଼ିଛନ୍ତି । ପାଣିରେ ବିଷ ମିଶ୍ରଣ କରାଯାଇଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ । ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ସୁରତର ହାରୀବାଗର ମିଲେନିୟମ କମ୍ପ୍ଲେକ୍ସରେ ଥିବା ଅନୁବ ଜେମ୍ସ ଫ୍ୟାକ୍ଟ୍ରିର ୧୫୦ରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ପ୍ରାୟ ୧୧୮ ଜଣ କର୍ମଚାରୀ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ୧୦୪ କର୍ମଚାରୀଙ୍କୁ କିରଣ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୪ ଜଣଙ୍କୁ ଡାଇମଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ପାଣିରୁ ଦୁର୍ଗନ୍ଧ ବାହାରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଜାଣିବା ପରେ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ ।
ଚିକିତ୍ସାବେଳେ ଜଣାପଡ଼ିଥିଲା ଯେ ସମସ୍ତେ ଫ୍ୟାକ୍ଟ୍ରିରେ ଥିବା ୱାଟର୍ କୁଲରରୁ ପାଣି ପିଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ କମ୍ପାନୀରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ପାଣି ଟାଙ୍କି ନିକଟରୁ ପୋଲିସକୁ କିଛି ଔଷଧ ପ୍ୟାକେଟ୍ ମିଳିଥିବାବେଳେ ପାଣିରୁ ମଧ୍ୟ ଦୁର୍ଗନ୍ଧ ବାହାରିଥିଲା । ଗୋଟିଏ ପ୍ୟାକେଟ୍ ଖୋଲାଥିବାବେଳେ ଆଉ ଗୋଟିଏ ବନ୍ଦ ଅବସ୍ଥାରେ ମିଳିଛି । ଉକ୍ତ ମେଡ଼ିସିନ୍ ପ୍ୟାକେଟରେ ଆଲୁମିନିୟମ ଫସଫାଇଡ୍ ଥିବା କୁହାଯାଉଛି । ଯାହାକି ଅତି ବିଷାକ୍ତ ଅଟେ ।
ପୋଲିସ ହତ୍ୟା ମାମଲା ରୁଜୁ କରି ୫ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । କମ୍ପାନୀରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି । ଏହା ସହିତ ମେଡ଼ିସିନ୍ କେଉଁଠୁ କିଣା ଯାଇଛି ତାହାକୁ ଜାଣିବାକୁ ପୋଲିସ ଚେଷ୍ଟା କରିଛି ।