ଆମରେଲି: ଗୁଜରାଟ ଆମରେଲିରୁ ଏକ ଦୁଃଖଦ ଖବର ଆସିଛି । କାର ଭିତରେ ଖେଳ ମୃତ୍ୟୁକୁ ଡାକି ଆଣିଛି । କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ୪ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ଆମରେଲି ଏସପି ଚିରାଗ ଦେଶାଇଙ୍କ ସୂଚନା ମୁତାବକ, ମଧ୍ୟ ପ୍ରଦେଶର ଧାର ଜିଲ୍ଲାରୁ ଗୋଟିଏ ପରିବାରର ଦମ୍ପତି ଗୁଜରାଟର ଆମରେଲି ଜିଲ୍ଲା ତାଲୁକା ଥାନା ଅଞ୍ଚଳରେ ଦିନ ମଜୁରିଆଭାବେ କାମ କରିବାକୁ ଆସିଥିଲେ । ଶନିବାର ସକାଳ ପ୍ରାୟ ୭ଟା ୩୦ ସମୟରେ ବାପା ମା ୭ଟି ପିଲାଙ୍କୁ ଘରେ ଛାଡ଼ି ଭାରତ ମନ୍ଦାନୀଙ୍କ କ୍ଷେତରେ କାମ କରିବାକୁ ଚାଲିଗଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ୪ ଜଣ ପିଲାମାନେ ଖେଳୁ ଖେଳୁ ହଠାତ୍ ମାଲିକଙ୍କ କାର ଭିତରେ ପଶି ଯାଇଥିଲେ । କାରଟି ଭିତର ପଟୁ ଲକ୍ ହୋଇଯାଇଥିଲା ।
ମାଲିକ ଏବଂ ମାତା ପିତା ଯେତେବେଳେ ଘରକୁ ଫେରି ଥିଲେ ସେତେବେଳେ ପିଲାଙ୍କୁ ପାଇ ନ ଥିଲେ । ମାଲିକ ତାଙ୍କ କାର ଭିତରେ ୪ ଜଣ ପିଲାଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ । ଏ ନେଇ ତାଲୁକା ପୁଲିସକୁ ସୂଚନା ଦେଇଥିଲେ । ସମସ୍ତ ମୃତ ଶିଶୁଙ୍କ ବୟସ ୨ରୁ ୭ ବର୍ଷ ବୋଲି ଜଣାପଡ଼ିଛି । କାର ଭିତରେ ଶ୍ୱାସ ରୁଦ୍ଧ ହୋଇ ଶିଶୁମାନଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସପି କହିଛନ୍ତି ।