ଭୁବନେଶ୍ୱର: ପୁଣି ଅଲୋଡ଼ା ହୋଇ ପଡ଼ିଛି ଶିଶୁ କନ୍ୟା । ରାଜଧାନୀ ରାଜ ରାସ୍ତାରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା । ପିଲାଟିକୁ ସହିଦ ନଗର ଥାନା ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏକ ନମ୍ବର ଆରଟିଓ ଛକ ନିକଟସ୍ଥ ବସ୍ତିରେ କିଛି ଲୋକ ବାହାରକୁ ଉଠିଥିଲେ । ଏହି ସମୟରେ ଜୋରରେ କୁକୁର ଭୁକୁଥିବାବେଳେ ଏକ ପିଲାର କାନ୍ଦିବା ସ୍ୱର ଶୁଣିଥିଲେ । ପାଖକୁ ଆସି ଦେଖିବା ପରେ ଏକ ଶିଶୁ କନ୍ୟାକୁ ଦେଖିଥିଲେ । ଯାହାକି ସେମାନଙ୍କୁ ବ୍ୟଥିତ କରିଥିଲା । ଏହା ପରେ ସ୍ଥାନୀୟ ଲୋକ ତୁରନ୍ତ ଶିଶୁ କନ୍ୟାକୁ କୋଳେଇ ନେଇଥିଲେ ଏବଂ ତାର ସେବା କରିଥିଲେ ।
ଏ ନେଇ ସହିଦ ନଗର ଥାନାକୁ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚିବା ପରେ ଲୋକେ ଶିଶୁଟିକୁ ହସ୍ତାନ୍ତର କରିଥିଲେ । ଶିଶୁଟିକୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛି ପୁଲିସ । ସେ ବର୍ତ୍ତମାନ ସୁସ୍ଥ ଅଛି । ତେବେ କିଏ ଓ କାହିଁକି ଏମିତି ଅବସ୍ଥାରେ ଶିଶୁଟିକୁ ଛାଡ଼ି ଚାଲିଗଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।