ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କ୍ରେନଟି ହଠାତ ଭୁଶୁଡି ପଡିଥିଲା। ଏଥିରେ ଜଣେ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଘଟଣାଟି ଘଟି ଯାଇଛି ଭୁବନେଶ୍ୱର ସ୍ଥିତ ୟୁନିଟ ୮ ସ୍ଥିତ ଓଏମସି କଲୋନୀରେ। ସୌଭାଗ୍ୟ ବଶତଃ ଶତାଧିକ ଲୋକେ ଏହି ଘଟଣାରୁ ବର୍ତି ଯାଇଛନ୍ତି। ସୂଚନାଯୋଗ୍ୟ ଓଏମସି କଲୋନୀରେ ୩ଟି ୧୦ମହଲା ବିଶିଷ୍ଟ ଟାୱାର ନିର୍ମାଣ ଚାଲିଥିଲା। ମଝି ଟାୱାରର ପାଞ୍ଚ ମହଲାକୁ ରଡ଼ ଉଠାଉଥିବା ବେଳେ କ୍ରେନଟି ହଠାତ ମଝିରୁ ଭାଙ୍ଗି ୫ ମହଲା ଛାତ ଉପରେ ପଡିଯାଇଥିଲା। ଏହିରେ ଜଣେ ଶ୍ରମିକ ଆହତ ହୋଇଥିବା ବେଳେ, ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ୧୦ ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ ଓ ସେମାନେ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଓଏମସି କର୍ତ୍ତୃପକ୍ଷ ମତାମତ ଦେଇ କହିଛନ୍ତି ଯେ ଦୁର୍ଘଟଣା ଗ୍ରସ୍ତ କ୍ରେନର ମରାମତି କାର୍ଯ୍ୟ ହେଉଥିଲା। ତେବେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସ୍ଥାନ ଅଖା ପାଖ ଅଂଚଳରେ ସରକାରୀ ବାସ ଭବନ ଗୁଡିକ ଥିବା ବେଳେ ଏପରି ଦୁର୍ଘଟଣା ସାଧାରଣ ଲୋକଙ୍କ ନିରାପତ୍ତାପାଇଁ କର୍ତ୍ତୃପକ୍ଷ କେତେ ସଜାଗ ଓ ଯତ୍ନଶୀଳ ଏହାର ଚିତ୍ର ଦେଖିବାକୁ ମିଳିଛି।