ଭୁବନେଶ୍ୱର: ରାଜଧାନୀ ପାଲଟିଛି ନିଶା ଵ୍ୟାପାରୀଙ୍କ ପେଣ୍ଠ ସ୍ଥଳ । ଆଜିର ଯୁବ ସମାଜ ନିଶା କବଳରେ ପଡ଼ି ପଥଭ୍ରଷ୍ଟ ହେବା ସହିତ ନିଶାମାଫିଆଙ୍କ ରାଜ ରାଜଧାନୀରେ ବେଧଡ଼କ ଚାଲିଛି । ଏନେଇ ସଜାଗ ହୋଇଉଠିଛି କମିଶନରେଟ ପୋଲିସ । ରାଜଧାନୀର ଗଳିକନ୍ଦିରେ ଚାଲୁଥିବା ନିଶା ଓ ମାରାତ୍ମକ ଧଳା ଜହରର ବ୍ୟାପାର ପଣ୍ଡ କରିବା ପାଇଁ ପୋଲିସ ପାଟ୍ରୋଲିଂ କଡ଼ା କଡ଼ି କରିବା ସହ ବିଭିନ୍ନ ପାନ ଦୋକାନ, ଚା' ଦୋକାନ ପ୍ରଭୃତିରେ ଛାପା ମାରିବା ଆରମ୍ଭ କରିଛି । ଏହି ରେଡ଼ ଅଭିଯାନରେ ଦୁଇ ଅଭିଯୁକ୍ତ ଧରାପଡ଼ିଛନ୍ତି । ଅଭିଯୁକ୍ତ ଦୁଇଜଣ ହେଲେ ବାଲେଶ୍ୱର ଅଞ୍ଚଳର ଜାହାଙ୍ଗୀର ମହମ୍ମଦ ଓ ସାହିଲ ମହମ୍ମଦ ।
ସୂଚନାନୁଯାୟୀ ଅଭିଯୁକ୍ତ ଦୁଇ ଜଣ ବାଲେଶ୍ୱରରୁ ୫୧୫ ଗ୍ରାମର ବ୍ରାଉନ ସୁଗାର ଆଣି ଏହାକୁ କଳାବଜାରୀ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସମୟରେ ମାଡ଼ିବସିଲା କମିଶନରେଟ ପୋଲିସ । ତେବେ ଜବତ ହୋଇଥିବା ଏହି ଧଳା ଜହରର ମୂଲ୍ୟ ଆନୁମାନିକ ୫୦ ଲକ୍ଷରୁ ଅଧିକ ମୂଲ୍ୟର ହେବ । ଦୁଇ ଅଭିଯୁକ୍ତଙ୍କୁ ଧରିବା ପରେ କମିସନରେଟ ପୋଲିସ ବାହାରୁ ରାଜଧାନୀକୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ଆରମ୍ଭ କରିଛି ।
ରାଜଧାନୀରେ ୧୦ରୁ ଅଧିକ ଚା ଓ ପାନ ଦୋକାନରେ ସ୍ପେଶାଲ ସ୍କ୍ୱାର୍ଡ ରେଡ କରିଛି । ବହୁଳ ମାତ୍ରାରେ ଗଞ୍ଜେଇ ଓ ଗଞ୍ଜେଇ ସିଗାରେଟ ପାଇଁ ବ୍ୟବହୃତ କାଗଜ ମିଳିଛି । ଏସବୁ ମହଜୁଦ ରଖିଥିବା ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ । ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ପାନ ଓ ଚା' ଦୋକାନ ଉପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରଥିଲା । ରେଡରେ ଭିନ୍ନ ଭିନ୍ନ ପ୍ରକାରର ଗଞ୍ଜେଇ ଓ ଏହାର କାଗଜ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ ।
ଗଞ୍ଜେଇ ଟାଣିବା ପାଇଁ ଏହି ଫ୍ଲେବର୍ କାଗଜ ବା ରାପର୍ ସବୁ ବ୍ୟବହାର କରାଯାଉଥିଲା । ଏହାର ଦାମ ୧୨୦ରୁ ୧୪୦ ଟଙ୍କା ବୋଲି ସୂଚନା ମିଳିଛି । ଏହି ସବୁ ଗଞ୍ଜେଇ ମିଳିଥିବା ଦୋକାନୀଙ୍କୁ ଉଠାଇ ନେଇଛି ପୋଲିସ । ସ୍ପେଶାଲ କ୍ରାଇମ ୟୁନିଟ, ADCP ଅନୁପ କାନୁନଗୋଙ୍କ ନେତୃତ୍ୱରେ ସ୍ପେଶାଲ କ୍ରାଇମ ୟୁନିଟ ଓ ଇନଫୋସିଟି ଥାନା ପୋଲିସର ମିଳିତ ଚଡାଉ କରିଥିଲେ । ପଥର ଗାଡ଼ିଆ, ପ୍ରଶାନ୍ତିବିହାର, ମ୍ୟାଗନେଟ ଛକ ଆଦି ଅଞ୍ଚଳରେ ଥିବା ଚା, ପାନ ଦୋକାନରେ ହୋଇଥିଲା ଚଢାଉ ।