ନୂଆଦିଲ୍ଲୀ: କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରୁ ଜିଏସଟି ହ୍ରାସ କରିବା ପରେ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଖାଉଟିଙ୍କ ପର୍ୟ୍ୟନ୍ତ ସମସ୍ତେ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି । ବିଭିନ୍ନ ସାମଗ୍ରୀରେ ଦରଦାମ ହ୍ରାସ ପାଇଛି । ଦୂର୍ଗାପୂଜା ପୂର୍ବରୁ ଜିଏସଟି ହ୍ରାସର ଲାଭ ଉଠାଇଛି ଦେଶର ପ୍ରତିଷ୍ଠିତ କାର କମ୍ପାନୀ ମାରୁତି । କମ୍ପାନୀ ପକ୍ଷରୁ କାର୍ ଉପରେ ଆଶାତୀତ ମୂଲ୍ୟ ହ୍ରାସ କରାଯାଇଛି । ମାରୁତି ୱାଗନଆର୍, ଅଲ୍ଟୋ ଏବଂ ଇଗ୍ନିସ୍ ଭଳି ଗାଡ଼ି ଗୁଡ଼ିକରେ ପ୍ରାୟ ୧ ଲକ୍ଷ ୨୯ ହଜାର ଟଙ୍କା ମୂଲ୍ୟ ହ୍ରାସ ପାଇଛି । ଆସନ୍ତା ସେପ୍ଟେମ୍ବର ୨୨ରୁ ଏହି ନୂତନ ଦର ଲାଗୁ ହେବ ।
ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ମାର୍କେଟିଂ ଏବଂ ସେଲ୍ସର ସିନିୟର ଏକଜିକ୍ୟୁଟିଭ୍ ଅଫିସର ପାର୍ଥ ବାନାର୍ଜୀ ସାମ୍ବାଦିକ କରି ମୂଲ୍ୟ ହ୍ରାସ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଜିଏସଟି ମୂଲ୍ୟର ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କ ଉପରେ ପଡ଼ିବ । ଯେଉଁଥିପାଇଁ କମ୍ପାନୀ ନିଜ ଗାଡ଼ି ଗୁଡ଼ିକରେ ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । କିନ୍ତୁ ଗାଡ଼ିର ଫିଚର୍ସ, ଡିଜାଇନ୍ ଏବଂ ଟେକ୍ନୋଲୋଜିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ମୂଲ୍ୟ ହ୍ରାସ ପରେ ଏବେ ସବୁଠାରୁ ଶସ୍ତା କାର ହେଉଛି ଏସ୍-ପ୍ରେସୋ । ପୂର୍ବରୁ ଅଲ୍ଟୋ ସବୁଠାରୁ ଶସ୍ତା କାରରେ ଗଣତି ହେଉଥିଲା । ଏସ୍-ପ୍ରେସୋରେ ସର୍ବାଧିକ ୧,୨୯,୬୦୦ ଟଙ୍କା ହ୍ରାସ ହୋଇଥିବାବେଳେ ନୂତନ ମୂଲ୍ୟ ୩,୪୯,୯୦୦ ଟଙ୍କା ରହିଛି । ତା ଉପରକୁ ଅଲ୍ଟୋ କେ୧୦ରେ ୧୦୭,୬୦୦ ହ୍ରାସ କରାଯାଇଛି ଏବଂ ନୂତନ ମୂଲ୍ୟ ୩,୬୯,୯୦୦ ଟଙ୍କା ରହିଛି । ସେହିପରି ସେଲେରିଓ ୯୪, ୧୦୦ ହ୍ରାସ ପାଇ ନୂତନ ଦାମ ୪୬୯,୯୦୦ ଟଙ୍କା, ୱାଗନ୍-ଆର୍ ୭୯,୬୦୦ ଟଙ୍କା କମି ୪୯୮୯୦୦ ଏବଂ ଇଗ୍ନିସ୍ ୭୧,୩୦୦ ଟଙ୍କା କମି ୫,୩୫,୧୦୦ ଟଙ୍କା ହୋଇଛି ।
ମାରୁତିର ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍ୱିପ୍ଟ କାରରେ ୮୪,୬୦୦ ଟଙ୍କା ହ୍ରାସ କରାଯାଇଥିବବେଳେ ଏବେ ଆରମ୍ଭ ମୂଲ୍ୟ ୫ ଲକ୍ଷ ୭୮ ହଜାର ୯୦୦ ଟଙ୍କା ରହିଛି । ବଲେନୋରେ ୮୬ ହଜାର ୧୦୦ ଟଙ୍କା କମିଛି ଏବଂ ନୂତନ ଦାମ ରହିଛି ୫,୯୮,୯୦୦ ଟଙ୍କା । ସେହିପରି ଡିଜାଆର୍ ରେ ୮୭,୯୦୦ଟଙ୍କା ହ୍ରାସ କରାଯାଇଥିବାବେଳେ ନୂତନ ଦାମ ୬, ୨୫, ୬୦୦ ଟଙ୍କାରୁ ଆରମ୍ଭ ହେଉଛି ।