ନୂଆଦିଲ୍ଲୀ: ପେମେଣ୍ଟ କରିବାର ସବୁଠୁ ସହଜ ତରିକା ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ସେବା ବୁଧବାର ଅଚାନକ ଡାଉନ ହୋଇ ଯାଇଛି । ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟାରେ ୟୁପିଆଇ ପେମେଣ୍ଟରେ ବ୍ୟାପକ ସ୍ତରରେ ସମସ୍ୟା ଉପୁଜିଛି । ଏଥିରେ ବହୁ ସଂଖ୍ୟାରେ ୟୁଜର୍ସ ଡିଜିଟାଲ୍ ପେମେଣ୍ଟ କରିବାରେ ଅସମର୍ଥ ହୋଇଛନ୍ତି । ଲୋକପ୍ରିୟ ପେମେଣ୍ଟ ଆପ୍- ଫୋନ ପେ, ଗୁଗଲ ପେ ଓ ପେଟିଏମ ଜରିଆରେ ଟଙ୍କା ନେଣଦେଣ ଠପ୍ ହୋଇ ଯାଇଛି ।
ଅନଲାଇନ ସେବାର ମନିଟର କରୁଥିବା ଡାଉନ ଡିଟେକ୍ଟର ଅନୁଯାୟୀ, ବୁଧବାର ସନ୍ଧ୍ୟା 7ଟା 30 ମିନିଟ୍ ସୁଦ୍ଧା ୟୁପିଆଇ ସଂପର୍କିତ ୨୭୫୦ରୁ ଅଧିକ ଅଭିଯୋଗ ଆସିଛି । ଏଥିରୁ ଗୁଗଲ ପେ ୟୁଜର୍ସଙ୍କ ୨୯୬ ଅଭିଯୋଗ ଆସିଥିଲା । ଅନେକ ବ୍ୟାଙ୍କର ସର୍ଭର ଡାଉନ ହେବା କାରଣରୁ ଏମିତି ସମସ୍ୟା ଉପୁଜିଥିବା କୁହାଯାଉଛି । ଅନେକ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ।
ୟୁପିଆଇ ସର୍ଭିସେସରେ ଏହି ଧରଣର ସମସ୍ୟା ଯୋଗୁଁ ଡିଜିଟାଲ୍ ପେମେଣ୍ଟ ଉପରେ ନିର୍ଭରଶୀଳ ୟୁଜର୍ସ ଓ ବ୍ୟବସାୟୀଙ୍କୁ ବୁଧବାର ସନ୍ଧ୍ୟାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ତେଣୁ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନେ ବିକଳ୍ପ ପେମେଣ୍ଟ ପ୍ରଣାଳୀର ବ୍ୟବହାର କରନ୍ତୁ ଓ କୌଣସି ସମସ୍ୟା ହେଲେ ନିଜର ବ୍ୟାଙ୍କ କିମ୍ବା ପେମେଣ୍ଟ ସର୍ଭିସ ପ୍ରୋଭାଇଡର ସହ ଯୋଗାଯୋଗ କରନ୍ତୁ ।