ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରିମିୟମ ଏୟାରଲାଇନ୍ସ ଭିସ୍ତାରା ସୋମବାର ଅର୍ଥାତ ନଭେମ୍ବର ୧୧ ତାରିଖ ନିଜର ଶେଷ ଉଡାଣ ଭରୁଛି । ମଙ୍ଗଳବାର ନଭେମ୍ବର ୧୨ରେ ଭିସ୍ତାରାର ଏୟାର ଇଣ୍ଡିଆରେ ବିଲୟ ହୋଇଯିବ । ୨୦୧୩ରେ ଟାଟା ଗ୍ରୁପ ସିଙ୍ଗାପୁର ଏୟାରଲାଇନ୍ସ ସହ ଜଏଣ୍ଟ ଭେଞ୍ଚର ଜରିଆରେ ବିମାନ ଚଳାଚଳ କ୍ଷେତ୍ରରେ ପୁଣି ଥରେ ପାଦ ଦେଇଥିଲା । ୨୦୧୫ ଜାନୁଆରୀ ୯ରେ ଭିସ୍ତାରା ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ନିଜର ପ୍ରଥମ ଉଡାଣ ଭରିଥିଲା ।
ଏୟାର ଇଣ୍ଡିଆ ସହ ଭିସ୍ତାରାର ବିଲୟ ସହିତ ଏୟାର ଇଣ୍ଡିଆ ଦେଶର ଫୁଲ୍ ସର୍ଭିସ କ୍ୟାରିୟରରେ ପରିଣତ ହେବ । ଏଥିସହ ଅନ୍ତର୍ଜାତୀୟ ରୁଟରେ ଏୟାର ଇଣ୍ଡିଆର ମାର୍କେଟ୍ ସେୟାର ଦୁଇ ଗୁଣରୁ ଅଧିକ ବଢି ୫୦ ପ୍ରତିଶତରୁ ୫୪ ପ୍ରତିଶତ ହୋଇଯିବ । ପୂର୍ବରୁ ହିଁ ଅନ୍ତର୍ଜାତୀୟ ରୁଟରେ ୨୭ ପ୍ରତିଶତ ମାର୍କେଟ୍ ସେୟାର ସହ ଏୟାର ଇଣ୍ଡିଆ ନିଜର ଦବଦବା ବଜାୟ ରଖିଛି । ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଲିଡର ବର୍ତ୍ତମାନ ଇଣ୍ଡିଗୋ ରହିଛି ।
ମାତ୍ର ଇଣ୍ଡିଗୋକୁ ଚ୍ୟାଲେଞ୍ଜ ଦେବା ପାଇଁ ଏୟାର ଇଣ୍ଡିଆ ଭିସ୍ତାରାକୁ ନିଜ ସହ ବିଲୟ କରିବାକୁ ଯାଉଛି । ଭିସ୍ତାରାର ଏୟାର ଇଣ୍ଡିଆରେ ବିଲୟ ପରେ ଏହାର ମୋଟ୍ ବିମାନ ସଂଖ୍ୟା ୧୪୪ରୁ ବଢି ୨୧୪ରେ ପହଞ୍ଚିବ । ଏୟାର ଇଣ୍ଡିଆର ଲୋ କଷ୍ଟ କ୍ୟାରିୟର ଏୟାର ଇଣ୍ଡିଆ ଏକ୍ସପ୍ରେସ ନିକଟରେ ୯୦ ବିମାନ ରହିଛି । ଏହା ବାଦ୍ କମ୍ପାନି ୪୭୦ ନୂଆ ବିମାନ ପାଇଁ ଅର୍ଡର ଦେଇଛି, ଯାହାର ଡେଲିଭରି ଶୀଘ୍ର ଆରମ୍ଭ ହୋଇଯିବ ।
ଭିସ୍ତାରା ନଭେମ୍ବର ୧୧ରେ ନିଜ ବ୍ରାଣ୍ଡରେ ଶେଷ ଉଡାଣ ଭରୁଛି । ଏହାର ଭାରତ ଓ ଇଣ୍ଟରନ୍ୟାସନାଲ ରୁଟକୁ ମିଶାଇ ୫୦ରୁ ଅଧିକ ସ୍ଥାନରେ ଉଡାଣ ଭରି ଆସିଛି । ଏଥିରୁ ୧୨ ଦେଶକୁ ଭିସ୍ତାରା ସିଧାସଳଖ ଉଡାଣ ଭରିଥାଏ । କମ୍ପାନି ପାଖରେ ୭୦ ଏୟାରକ୍ରାଫ୍ଟ ରହିଛି । ୨୦୧୫ରୁ ଏ ପର୍ଯ୍ୟନ୍ତ ୬.୫ କୋଟିରୁ ଅଧିକ ଯାତ୍ରୀ ଭିସ୍ତାରାରେ ବିମାନ ଯାତ୍ରା କରିଛନ୍ତି । ଏବେ ଏୟାର ଇଣ୍ଡିଆରେ ବିଲୟ ପରେ ବି ଯାତ୍ରୀଙ୍କୁ ଭିସ୍ତାରା ପରି ସବୁ ସୁବିଧା ମିଳିବ ।