ନୂଆଦିଲ୍ଲୀ: ବଜେଟ୍ ୨୦୨୫ ଉପସ୍ଥାପନ ହେବା ସହିତ ଟେକ୍ ଦୁନିଆ ଚଳଚଞ୍ଚଳ ହୋଇ ଉଠିଛି । ଚଳିତ ଆର୍ଥିକ ବର୍ଷର ବଜେଟ୍ ମ୍ୟାନୁଫେକଚରିଂଠୁ ନେଇ ଗ୍ରାହକଙ୍କ ପର୍ଯ୍ୟନ୍ତ ଭଲ ଖବର ନେଇ କି ଆସିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ଅନେକ ଡିଭାଇସର ମ୍ୟାନୁଫେକଚରିଂରେ ଲାଗୁଥିବା ପାର୍ଟ୍ସରୁ ଆମଦାନୀ ଶୁଳ୍କ ହ୍ରାସ କରାଯାଉଛି । ଏହାର ସିଧା ପ୍ରଭାବରେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି ଓ ଅନ୍ୟ ଇଲେକ୍ଟ୍ରିକ ସାମଗ୍ରୀ ଶସ୍ତା ହେବ ।
ବଜେଟରେ ମୋବାଇଲ ଫୋନ ଉପରେ କଷ୍ଟମ ଡ୍ୟୁଟି କମ କରିବାକୁ ଘୋଷଣା କରାଯାଇଛି । ଏଥିରେ ଭାରତରେ ମ୍ୟାନୁଫେକଚରିଂ ହେଉଥିବା ମୋବାଇଲ ଫୋନର ଦାମ କମ ହେବ ଏବଂ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କୁ ମିଳିବ । ଗ୍ରାହକଙ୍କୁ ଏବେ ନୂଆ ସ୍ମାର୍ଟଫୋନ କିଣିଲେ କମ ଖର୍ଚ୍ଚ କରିବାକୁ ପଡିବ । ମୋବାଇଲ କମ୍ପାନିଗୁଡିକ ସରକାରଙ୍କଠାରେ ଆମଦାନୀ ଶୁଳ୍କ କମ କରିବାକୁ ଦାବି କରିଥିଲେ, ଯଦ୍ୱାରା ଗ୍ରାହକଙ୍କୁ ଫାଇଦା ମିଳିବ । ଆଉ ସରକାର ଏହି ଦାବିକୁ ସ୍ୱୀକାର କରିଛନ୍ତି ।
ସ୍ଥାନୀୟ ମ୍ୟାନୁଫେକଚରିଂକୁ ମିଳିବ ଫାଇଦା
ଭାରତରେ ବ୍ୟାଟେରୀ ମ୍ୟାନୁଫେକଚରିଂ ଉପରେ ଏହି ବଜେଟରେ ଗୁରୁତ୍ୱାରୋପ କରାଯାଇଛି । ଲିଥିୟମ-ଆୟନ ବ୍ୟାଟେରୀ ନିର୍ମାଣକାରୀ ଘରୋଇ କମ୍ପାନିକୁ ଏଥିରେ ପ୍ରୋତ୍ସାହନ ଦିଆଯିବ । ଏଥିରେ ଦେଶରେ ନିର୍ମିତ ବ୍ୟାଟେରୀର ଦାମ କମ ରହିବ । ମୋବାଇଲ ଫୋନ ସହିତ ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ଯଥା ଏଲଇଡି-ଏଲସିଡି ଟିଭିର ଦାମ କମ ହେବ । ଏଥିରେ ଲାଗିବାକୁ ଥିବା କଷ୍ଟମ ଡ୍ୟୁଟି ମଧ୍ୟ କମ କରାଯିବ ।
ସରଳ ଭାଷାରେ କହିବାକୁ ଗଲେ ଇଲେକ୍ଟ୍ରିକ କିମ୍ବା ସ୍ମାର୍ଟଫୋନର ମ୍ୟାନୁଫେକଚରିଂରେ ହେଉଥିବା ଖର୍ଚ୍ଚ ହ୍ରାସ ପାଇବ । ଠିକ୍ ସେହିପରି ବ୍ୟାଟେରୀ ମୂଲ୍ୟ କମ ଏବଂ ଗ୍ରାହକଙ୍କୁ ଏହାର ସିଧାସଳଖ ଫାଇଦା ମିଳିବ ।