ନୂଆଦିଲ୍ଲୀ: ପାର୍ବଣ ସିଜିନର ଆଗମନ ଓ ସୁଧହାରରେ ହ୍ରାସର ପ୍ରଭାବ ସୁନା ଦାମ ଉପରେ ପଡିଛି । ଫଳରେ ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସୁନା ମହଙ୍ଗା ହେବାରେ ଲାଗିଛି । ଆଉ ଘରୋଇ ବଜାରରେ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ୭୬ ହଜାର ଟପିଛି ।
ଗତକାଲି ଆମେରିକା ବଜାରେ ସୁନାର ଅହେତୁକ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିଥିଲା । ମଙ୍ଗଳବାର କାରବାର ସମୟରେ ସୁନା ଅନ୍ସ ପ୍ରତି ମୂଲ୍ୟ ୨,୬୩୮.୩୭ ଡଲାରର ଉଚ୍ଚସ୍ତରରେ ପହଞ୍ଚିଛି । ଆଉ ଭାରତର ଘରୋଇ ବଜାରରେ ସୁନା ମହଙ୍ଗା ହୋଇ ୭୬ ହଜାର ଟଙ୍କା ଟପିଛି । ମଙ୍ଗଳବାର ଭାରତୀୟ ବଜାରରେ ୨୪ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ସୁନା ଦର ୭୬ ହଜାର ୩୩୦ ଟଙ୍କା ରହିଥିଲା ।
ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହୋଇପାରେ । ଘରୋଇ ବଜାରରେ ଆଗାମୀ ସମୟରେ ପାର୍ବଣ ସିଜିନ ଲାଗି ରହିବ । ନବରାତ୍ରି ପରେ ଦୀପାବଳି ଓ ଧନତେରସ ପରି ଉତ୍ସବ ରହିଛି । ଏହି ସମୟରେ ଭାରତୀୟ ଲୋକେ ସୁନା କିଣିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କାରଣ ପାର୍ବଣ ଋତୁରେ ସୁନା କିଣିବାକୁ ଶୁଭ ବୋଲି କୁହାଯାଏ ।
ପୁଣି ନବରାତ୍ରି ପରେ ବିବାହ ସିଜିନ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ସ୍ୱାଭାବିକ ଭାବେ ସୁନା ଦାମ ଅଧିକ ରହିଥାଏ । ଏଥର ବିବାହ ଋତୁରେ ସୁନାର ଚାହିଦା ସବୁ ରେକର୍ଡ କାଟିପାରେ ବୋଲି କୁହାଯାଉଛି । ଫଳରେ ଆଗାମୀ ଦିନରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ୭୮ ହଜାର ଟଙ୍କା ଛୁଇଁପାରେ ।