ଚେନ୍ନାଇ: ଚେନ୍ନାଇ ସ୍ଥିତ କମ୍ପାନି ସରମାଉଣ୍ଟ ଲଜିଷ୍ଟିକ ସଲ୍ୟୁସନ ନିଜର କର୍ମଚାରୀଙ୍କ ପରିଶ୍ରମ ଓ ସମର୍ଥପଣକୁ ସମ୍ମାନ ଜଣାଇ ସେମାନଙ୍କୁ ଉପହାରରେ କାର, ବାଇକ ଓ ସ୍କୁଟର ଦେଇଛନ୍ତି । କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରାୟ ୨୦ ଜଣ କର୍ମଚାରୀଙ୍କୁ ଏହି ଉପହାର ଦିଆଯାଇଛି । କର୍ମଚାରୀଙ୍କୁ ଯେଉଁ ଗାଡି ଉପହାରରେ ଦିଆଯାଇଛି , ସେଥିରେ ଟାଟା ଟିୟାଗୋ କାର, ହୋଣ୍ଡା ଆକ୍ଟିଭ ସ୍କୁଟର ଓ ରୟାଲ ଏନଫିଲ୍ଡ ବୁଲେଟ ୩୫୦ ବାଇକ ସାମିଲ ।
କମ୍ପାନିର ପ୍ରବନ୍ଧକ ନିର୍ଦ୍ଦେଶକ ଡେଞ୍ଜିଲ ରାୟନ ଏହି ଅବସରରେ କହିଛନ୍ତି ଯେ, କର୍ମଚାରୀଙ୍କୁ ପ୍ରେରିତ ଓ ଉତ୍ସାହିତ କରିବା କର୍ମଚାରୀ କଲ୍ୟାଣ କାର୍ଯ୍ୟକ୍ରମର ଏକ ଅଂଶ । ଏହି ଉପହାର ଯେ କେବଳ କର୍ମଚାରୀଙ୍କୁ ସନ୍ତୋଷ ଦେବ ତାହା ନୁହେଁ ଏହା ସେମାନଙ୍କର ଉତ୍ପାଦନ କ୍ଷମତା, ଯୋଗାଯୋଗ ଓ କାମର ସ୍ଥାୟିତ୍ୱକୁ ଆହୁରି ଉନ୍ନତ ଓ ବିକଶିତ କରିବ ।
ଭାରତରେ ପାର୍ବଣ ଋତୁରେ ବିଶେଷ କରି ଦୀପାବଳି ଉପଲକ୍ଷେ କର୍ମଚାରୀଙ୍କୁ ଉପହାର ଦେବା ପ୍ରଚଳନ ବଢିବାରେ ଲାଗିଛି । ଏଥିରେ କର୍ମଚାରୀଙ୍କୁ କାମ କରିବା ପାଇଁ ବେଶ ଉତ୍ସାହ ମିଳୁଥିବା ଦେଖିବାକୁ ମିଳିଛି । ହରିୟାଣାର ଏକ ଫାର୍ମାସ୍ୟୁଟିକଲ କମ୍ପାନି ନିଜ କର୍ମଚାରୀଙ୍କୁ ୧୫ ଏସୟୁଭି କାର ଉପହାରରେ ଦେଇଥିଲା ।
ଚେନ୍ନାଇର ଅନ୍ୟ ଏକ କମ୍ପାନୀ ଡିଟେଲିଙ୍ଗ ସଲ୍ୟୁସନ୍ସ ଚଳିତ ବର୍ଷ ୨୮ଟି କାର ଓ ୨୯ଟି ବାଇକ ନିଜର କର୍ମଚାରୀଙ୍କୁ ଉପହାରରେ ପ୍ରଦାନ କରିଥିଲା ।
ତାମିଲନାଡୁର ଏକ ଚା ଉଦ୍ୟୋଗ ମଧ୍ୟ ୧୫ଟି ରୟାଲ ଏନଫିଲ୍ଡ ବାଇକ ନିଜର କର୍ମଚାରୀଙ୍କୁ ଉପହାରସ୍ୱରୂପ ଦେଇଥିଲା ।
ଉପହାର ପ୍ରଚଳନ ୨୦୧୫ରେ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା, ଯେବେ ସୁଟର ଜଣେ ହୀରା ବ୍ୟବସାୟୀ ସବଜି ଢୋଲକିଆ ଦୀପାବଳି ଉପଲକ୍ଷେ ନିଜ କର୍ମଚାରୀଙ୍କୁ ୪୯୧ କାର ଓ ୨୦୦ ଫ୍ଲାଟ ଗିଫ୍ଟ କରିଥିଲେ । ୨୦୨୩ରେ ତାଙ୍କର କମ୍ପାନି ହରେ କୃଷ୍ଣ ଏକ୍ସପୋର୍ଟ୍ସ ପ୍ରାୟ ୬୦୦ କାର ନିଜ କର୍ମଚାରୀଙ୍କୁ ବିତରଣ କରିଥିଲେ । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନିଜେ ଚାରି କର୍ମଚାରୀଙ୍କୁ କାରର ଚାବି ପ୍ରଦାନ କରିଥିଲେ ।