ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହରିହର ବେଶ । ହରିହର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ବଡ଼ଠାକୁର ।ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି।ହରିହର ବେଶ ବଡ଼ଠାକୁର ବଳଭଦ୍ରଙ୍କର ଏକ ବିଶେଷ ବେଶ । ଏହା ବର୍ଷକରେ ବଳଭଦ୍ରଙ୍କ ମାତ୍ର ଦୁଇଗୋଟି ସବିଶେଷ ବେଶରୁ ଗୋଟିଏ ।
ଏହି ବେଶରେ ବଳଭଦ୍ରଙ୍କ ଶ୍ରୀଅଙ୍ଗକୁ ଅଧା କଳା ଓ ଅଧା ଧଳା ବର୍ଣ୍ଣର ବସ୍ତ୍ରରେ ମଣ୍ଡିତ କରାଯାଏ । ଏହା ହରିହର ଉପାସନାର ପ୍ରତୀକ । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ ।ଓଡ଼ିଶାରେ ପାରମ୍ପରିକ ଭାବେ ଶିବଙ୍କୁ ଧବଳ ବର୍ଣ୍ଣରେ ଓ କୃଷ୍ଣ ବା ବିଷ୍ଣୁଙ୍କୁ ଗାଢ଼ କଳା ବର୍ଣ୍ଣରେ ଚିତ୍ରିତ କରାଯାଏ ।ତେଣୁ ବଡ଼ଠାକୁରଙ୍କ ଏହି ବେଶରେ ହରି ଓ ହରଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।
ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କର ପବିତ୍ର ‘ରାଧା-ଦାମୋଦର’ ବେଶ ଅନୁଷ୍ଠିତ ହୋଇଥିଲାବେଳେ ଆଜି ବଡ଼ଠାକୁର ବଳଭଦ୍ରଙ୍କର ହରିହର ବେଶ ଅନୁଷ୍ଠିତ ହୋଇଛି । ପରମ୍ପରାକ୍ରମେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ ରତ୍ନସିଂହାସନରେ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ତେବେ ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି ।
କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁ ବଳଭଦ୍ରଙ୍କର ହରିହର ବେଶ ଓ ଶ୍ରୀ ଜଗନ୍ନାଥଙ୍କ ରାଧା ଦାମୋଦର ବେଶ କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଏହି ବେଶ ଦେଖି ଭକ୍ତମାନେ ଆତ୍ମତୃପ୍ତି ଲାଭ କରୁଛନ୍ତି ।
ଅଧିକ ପଢନ୍ତୁ :ମହାପ୍ରଭୁଙ୍କ ରାଧାଦାମୋଦର ବେଶ