ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପୂର୍ଣ୍ଣାଙ୍ଗ ରାମ ମନ୍ଦିର ନିର୍ମାଣକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାମ ଭକ୍ତମାନେ। ବର୍ତ୍ତମାନ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋର୍ଦାର ଭାବରେ ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାସ୍ଥିତ ଭବ୍ୟ ରାମ ମନ୍ଦିରରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରିବେ। ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ତାଙ୍କୁ ଆମନ୍ତ୍ରଣ କରିଛନ୍ତି ମନ୍ଦିର ସଂସ୍ଥା ଅଧିକାରୀ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନିଜର ସୌଭାଗ୍ୟ ବୋଲି ମାନେ କରିଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ଏବେ ଏହାର ଫଟୋଗୁଡ଼ିକ ମଧ୍ୟ ସାମ୍ନାକୁ ଆସିଛି ।
ବର୍ତ୍ତମାନ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ମନ୍ଦିରର ରାତ୍ରି ସମୟର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରାଯାଇଛି। ଏହା ସହିତ ପୋଷ୍ଟରେ ଟ୍ରଷ୍ଟ ଲେଖିଛି ଯେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳରେ ରାତିରେ ନିଆଯାଇଥିବା ଫଟୋ’। ସେୟାର ହୋଇଥିବା ଏହି ଫଟୋରେ ମନ୍ଦିରର ରାତ୍ରି ସମୟର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଏବଂ ମନୋରମ ଲାଗୁଛି। ତେବେ ଦୀପାବଳି ପୂର୍ବରୁ ଛଡ଼ାଯାଇଥିବା ମନ୍ଦିର ଫଟୋ ଅତ୍ୟନ୍ତ ଆକର୍ଷଣୀୟ ରହିଥିବାବେଳେ ଭକ୍ତମାନଙ୍କ ମଧ୍ୟରେ ଉତ୍କଣ୍ଠା ଆହୁରି ବଢି ବଢି ଯାଉଛି।
ଅନ୍ୟପଟେ ଦୀପାବଳି ଅବସରରେ ରାମ ନଗରୀ ଅଯୋଧ୍ୟାରେ ୨୧ ଲକ୍ଷରୁ ଅଧିକ ଦୀପ ଜାଳିବା ପାଇଁ ମନ୍ଦିର ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ନଭେମ୍ବର ୧୧ରେ ରାମ ନଗରୀ ଅଯୋଧ୍ୟାରେ ଦୀପୋତ୍ସବ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପ୍ରଶାସନ ତରଫରୁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ କହିବା ଅନୁଯାୟୀ, ଏଠାରେ ପାରମ୍ପରିକ ନଗର ଶୈଳୀ ଅନୁସାରେ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରର ଲମ୍ବ ୩୦୮ ଫୁଟ ରହିଥିବାବେଳେ ଏହାର ଚଉଡ଼ା ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିଛି।
ଅଧିକ ପଢ଼ନ୍ତୁ : ହିନ୍ଦୁ ଧର୍ମ ଅନୁଯାଇ ଦୀପାବଳିରେ କାହିଁକି ଜଳାଯାଇଥାଏ ମାଟିଦୀପ ?