ଗତ କିଛି ଦିନ ତଳେ କେଦାରନାଥ ଧାମରୁ ଜଣେ ପ୍ରସିଦ୍ଧ ୟୁଟ୍ୟୁବର ମହିଳାଙ୍କ ପ୍ରପୋଜ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ଏବେ କେଦାରନାଥ ଧାମରେ ମୋବାଇଲ୍ ମନା ହୋଇଛି । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବାରୁ ଏନେଇ ବଦ୍ରି-କେଦାର ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି । ବାବାଙ୍କ ଧାମରେ ୟୁଟ୍ୟୁବର୍ ଓ ଇନଫ୍ଲୁଏନ୍ସରମାନେ ବିଭିନ୍ନ ପ୍ରକାର ରିଲ୍ପ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି, ଯାହା ଭାଇରାଲ୍ ହେଉଛି ।
କେଦାରନାଥ ମନ୍ଦିରରେ ବାରମ୍ବାର ଏପରି ଘଟଣା ଘଟୁଥିବାରୁ ବଦ୍ରି-କେଦାର ମନ୍ଦିର କମିଟି ବର୍ତ୍ତମାନ କଠୋର ହୋଇଛନ୍ତି । ମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ପାଇଁ ପ୍ରସ୍ତୁତି ଚଳାଇଛି କମିଟି । ସୂଚନା ଅନୁଯାୟୀ, ବର୍ତ୍ତମାନ ଭକ୍ତମାନେ ଫୋନ୍ ସ୍ୱିଚ୍ ଅଫ୍ କରିବା ପରେ ମନ୍ଦିର ପରିସରରେ ପ୍ରବେଶ କରୁଛନ୍ତି । ହେଲେ ଆଗାମୀ କିଛି ଦିନ ଭିତରେ ମନ୍ଦିର ବାହାରେ ମୋବାଇଲ୍ ରଖିବା ପାଇଁ ବ୍ୟବସ୍ଥା କରାଯିବ । କେଦାରନାଥ ମନ୍ଦିର ସହ ଜଡିତ ଭିଡିଓ ଗୁଡ଼ିକ କ୍ରମାଗତ ଭାବରେ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ମଧ୍ୟ ଅନେକ ଭିଡିଓ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା । ନିକଟରେ ଜଣେ ଯୁବତୀ ମନ୍ଦିର ସମ୍ମୁଖରେ ନିଜ ବୟଫ୍ରେଣ୍ଡକୁ ବିବାହ ପ୍ରସ୍ତାବ ଦେଇଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଆଉ ଏହି ଭିଡିଓକୁ ନେଇ ବିବାଦ ଉପୁଜିଥିଲା । ବହୁ ଦର୍ଶକ ଧାର୍ମିକ ସ୍ଥଳରେ ଏଭଳି ଆଚରଣକୁ ଭୁଲ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଅତି ସୁନ୍ଦର ପ୍ରେମ ବୋଲି କହିଥିଲେ । ଆଉ ଏହି ଘଟଣା ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତି କହିଥିଲେ, ଧାର୍ମିକ ସ୍ଥାନର କିଛି ପରମ୍ପରା, ସମ୍ମାନ ଓ ବିଶ୍ୱାସ ରହିଛି । ଭକ୍ତମାନେ ସେହି ଅନୁଯାୟୀ ଆଚରଣ କରିବା ଉଚିତ୍ ।