ଉତ୍କଳ ଜନନୀଙ୍କ ପାଇଁ ଆମେ ଗର୍ବିତ
Khabar Odisha:Odisha-Day-2021

ଭୁବନେଶ୍ୱର, ଏପ୍ରିଲ ୧ ( ଖବର ଓଡ଼ିଶା ) : ଆସିଛି ଏପ୍ରିଲ । ମାସର ପହିଲା ତାରିଖ ମନ ଆଉ ପ୍ରାଣକୁ କରାଉଛି ପୁଲକିତ । ଏପ୍ରିଲ ୧,୧୯୩୬ ମସିହାର ଏହି ତାରିଖରେ ଉତ୍କଳ ପରାଧୀନତାର ଶୃଙ୍ଖଳ ରୁ ମୁକ୍ତ ଲଭିଥିଲା ।

ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ମିଳିଥିଲା ସ୍ୱୀକୃତି । ତେଣୁ ଏପ୍ରିଲ ୧ତାରିଖ ଟି ଆମ ପାଇଁ ହେଉଛି ପରିଚୟର ଦିନ । ଦେଶ ସ୍ୱାଧୀନତା ଲାଭର ଗୋଟିଏ ଦଶନ୍ଧି ପୂର୍ବରୁ ଓଡ଼ିଆ ଭାଷା କୁ ନେଇ ଆମର ନୂଆ ପରିଚୟ ତିଆରି ହେଲା । ଓଡିଶା ଘୋଷିତ ହେଲା ଏକ ସ୍ୱତନ୍ତ୍ର ଭାଷା ଭତ୍ତିକ ରାଜ୍ୟ ଭାବେ । 

ଦର୍ଶକ ବନ୍ଧୁ,ଭାଷାକୁ ନେଇ ପରିଚୟ ମଣିଷର ସବୁଠୁ ବଡ଼ ପରିଚୟ । ଜନ୍ମ ହେବା ପରଠାରୁ ମା ସହ ଯୋଡି ହୋଇ ରହିଥିବା ଭାଷା କୁ ବଞ୍ଚାଇ ରଖିବା ଦିଗରେ ବହୁ ମନିଷି ବହୁ କଷ୍ଟ ସ୍ୱୀକାର କରିଛନ୍ତି । ଓଡ଼ିଆ ଭାଷା ବହୁ ପ୍ରାଚୀନ । ତଥାପି ଆମ ବଙ୍ଗ ପଡୋଶୀ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହଁ ଏବଂ ଏହା ଏକ ଉପଭାଷା ବୋଲି କହିବା ପରେ କୋଣ ଅନୁକୋଣ ରୁ ଉଠିଥିଲା ପ୍ରତିବାଦର ଝଡ଼ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, କଥା ସମ୍ରାଟ ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ ବନ ବିଦ୍ୟାଳୟର ମାର୍ଗଦର୍ଶକ ନୀଳକଣ୍ଠ ଦାସ ପ୍ରାଚୀନ ଏହି ଓଡ଼ିଆ ଭାଷାର ମହତ୍ୱକୁ ପ୍ରତିପାଦିତ କରାଇଥିଲେ । 

ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ବୋଲି କେବଳ ଓଡ଼ିଆ କବି ଉଦଘୋଷଣା କରିପାରନ୍ତି । ଯଶସ୍ୱୀ ସନ୍ଥ ଭୀମଭୋଇଙ୍କ ଏ କାଳଜୟୀ ରଚନା ଓଡ଼ିଆ ଭାଷାକୁ ବିଶ୍ୱଦରବାର ରେ ପହଞ୍ଚାଇଥିଲା ।

ଓଡ଼ିଆ ଭାବେ ଗର୍ବ କରିବା ପାଇଁ ଆମ ଆଗରେ ଅନେକ ବିଷୟ ରହିଛି । ଓଡ଼ିଆ ସାହିତ୍ୟ ଯେଭଳି ପ୍ରାଚୀନ ସେଭଳି ସମୃଦ୍ଧିଶାଳୀ । ମନ୍ଦିର ଆଉ ମୂର୍ତ୍ତିକଳାର ଭାସ୍କର୍ଯ୍ୟ ଜୀବନ୍ତ ଆଉ ଆଶ୍ଚର୍ଯ୍ୟ ଚକିତ ପ୍ରଦାନ କଲାଭଳି । ଏହାର ଭାଷା, କଳା ସଂସ୍କୃତି,ଭାସ୍କର୍ଯ୍ୟ, ଖାଦ୍ୟପେୟ, ଐତିହ୍ୟ, ପର୍ବପର୍ବାଣୀ, ଯାନିଯାତ୍ରା ଅନନ୍ୟ ଓ ଅସାଧାରଣ । 

୮୫ ବର୍ଷରେ ପାଦ ଥାପିଥିବା ଆମ ପ୍ରିୟ ଉତ୍କଳ ଜନନୀ ଯୁଗେ ଯୁଗେ ଏକ ଗୌରବ ଗରୀମାମୟ ଐତିହ୍ୟର ସ୍ୱାକ୍ଷର ବହନ କରି ଆସିଛି । ଅତୀତରେ ବହୁ ଉତଥାନ, ପତନର ବନ୍ଧୁର ପଥ ଦେଇ ଗତି କରି ଆସିଥିବା ଏହି ରାଜ୍ୟ ବହୁ ସଂଗ୍ରାମ, ସଂଘର୍ଷ, ଜୟ ଆଉ ପରାଜୟ କୁ ପ୍ରତ୍ୟକ୍ଷ କରିଛି । ମୁକୁନ୍ଦ ଦେବ ଗୋହିରା ଟିକିରି ଯୁଦ୍ଧରେ ପରାଜିତ ହେବା ପରଠାରୁ ୨୯୦ ବର୍ଷ ଧରି ଓଡିଶା ଆଫଗାନ, ମୋଗଲ, ମରହଟ୍ଟା, ଓ ଇଂରାଜୀ ମାନଙ୍କ ଦ୍ୱାରା ଶାସିତ ହୋଇ ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଓଡ଼ିଶାବାସୀ ନିଜର ସାଧୁତା ଓ ସରଳତା ପାଇଁ ଯେତିକି ଖ୍ୟାତ ମେଧାବୀ ଓ ସାହସ ପାଇଁ ସେତିକି ପରିଚିତି ହାସଲ କରିଛନ୍ତି । 

ବିଡ଼ମ୍ବନା ୮୫ ବର୍ଷ ପରେ ବି ଆମେ ଆମର ସମୃଦ୍ଧ ଏହି ଭାଷାର ବ୍ୟବସାୟିକ ଓ ବୈଷୟିକ ମୂଲ୍ୟ ଦେଇ ପାରିଲେ ନାହିଁ । ଓଡ଼ିଆ ସ୍କୁଲ ଭୁଷୁଡି ପଡିଥିବା ବେଳେ କଲେଜ ଶିକ୍ଷାର ମାଧ୍ୟମ ପାଲଟିଛି ଇଂରାଜୀ । ୧୯୫୪ ଭାଷା ଆଇନ କାର୍ଯ୍ୟକାରୀ ପାଇଁ ପୁଳା ପୁଳା ପ୍ରତିଶ୍ରୁତି ମିଳିଛି । କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର କୁ ଶତ ପ୍ରତିଶତ କାର୍ଯ୍ୟକାରୀ କରାଯାଇନାହିଁ । ସୀମାନ୍ତରେ ହଜି ହଜି ଯାଉଛି ମାତୃଭାଷା ଓଡ଼ିଆ ଏବଂ ପେଟ ପାଇଁ ଖୁବ କମ ଦରମାରେ ଭିଟା ମାଟି ଛାଡି ଦେଶାନ୍ତରୀ ହେଉଛି କୁଶଳୀ ଓଡ଼ିଆ । ଆମ ସଂସ୍କୃତି କୁ ଆଧୁନିକତା ସହ ମିଶାଇ ଆଗକୁ ବଢିବାର ସଂକଳ୍ପବଦ୍ଧତା କମି କମି ଯାଉଥିବା ବେଳେ ମନେ ପଡୁଛି ସେହି କାଳଜୟୀ ରଚନା ଜଗତେ ସରସ ଭାରତ କମଳ,ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ ।

ଯେଉଁ ଭାଷା ଆମ ପରିଚୟ ଦେଇଛି ଆସନ୍ତୁ ସେ ଭାଷାର ଜୟଗାନ କରିବା । ବନ୍ଦେ ଉତ୍କଳ ଜନନୀ ।

  • Tags:

Subscribe

National International State Sports Entertainment