ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ବିଶ୍ଵ ପ୍ରସିଦ୍ଧ ମହିମାଗାଦିର ଦ୍ୱିତୀୟ ବଡପର୍ବ ନବାନ୍ନ ଉତ୍ସବ ଆଜି ପାଳିତ ହୋଇଛି। ଏହି ଉତ୍ସବରେ ୧୦ହଜାରରୁ ଊର୍ଦ୍ଧ୍ୱ ସାଧୁ ଭକ୍ତ ମାନେ ଯୋଗ ଦେଇଥିଲେ। ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ଏହି ପର୍ବ ପାଳନ ହୋଇଥାଏ।ଚଳିତ ବର୍ଷ ମହିମାଗାଦିରେ ନବାନ୍ନ ଉତ୍ସବ ପାଳନ କରିବା ଓ ନବାନ୍ନ ପ୍ରସାଦ ଖାଇବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ସାଧୁସନ୍ଥ ମହିମା ଗାଦିରେ ପହଞ୍ଚିଥିଲେ।
ଆଠଗଡ଼ ତରସିଂହ ଅଞ୍ଚଳର ମହିମା ଭକ୍ତ ଭୋଇ ପରିବାର ନୂଆଧାନରେ ତିଆରି ଚୁଡା ପ୍ରଭୁଙ୍କ ପ୍ରସାଦ ପାଇଁ ପ୍ରଦାନ କରିଥିଲେ। ଆଜି ପ୍ରାତଃ ବ୍ରାହ୍ମମୂହୁର୍ତ୍ତରେ ସାଧୁମାନେ ଅହ୍ମଣିଆ ମଣ୍ଡପରେ ନୂଆଚୁଡା, କଦଳୀ, ନଡ଼ିଆ,ଦହି,ଗୁଡ଼,କାଜୁ, କିସମିସ,ଅଦା, ଗୁଜୁରାତି,ଅଳେଇଚ, ଲବଙ୍ଗ ଓ ବିଭିନ୍ନ ପ୍ରକାର ଫଳମୂଳ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ନବାନ୍ନକୁ ୭ଟି ନୂଆ ମାଟି ହାଣ୍ଡିରେ ସାତ ଜଣ ତ୍ୟାଗୀ ବରିଷ୍ଠ ବକ୍କଳ ଧାରୀ ସନ୍ନ୍ୟାସୀଙ୍କ ଉପସ୍ଥିତିରେ ଅଲେଖ ମହିମା ଡାକ ଦେଇ ମହିମା ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିଲେ। ହଜାର ହଜାର ସାଧୁ ଭକ୍ତଙ୍କ ଗହଳି ମଧ୍ୟରେ ସାଧୁସନ୍ଥମାନେ ମହିମା ସ୍ୱାମୀଙ୍କୁ ପ୍ରାର୍ଥନା କରି ଜଗତବାସୀଙ୍କର ମଙ୍ଗଳ କାମନା କରି ପୃଥିବୀ ଶସ୍ୟଶ୍ୟାମଳା ହେବା ପାଇଁ ଅଲେଖ ଡାକ ଦେଇଥିଲେ। ପ୍ରାତଃ ୭ଟା ସମୟରେ ବାଲ୍ୟଲୀଳା ଭୋଗ ବଣ୍ଟନ କରାଯାଇଥିଲା। ପୂର୍ବାହ୍ନ ୯ଘଣ୍ଟା ସମୟରେ ଭୀକ୍ଷାଭଣ୍ଡାର ଠାରେ ପ୍ରସ୍ତୁତ ନବାନ୍ନ ସତସଙ୍ଗ ବିଧିରେ ସନ୍ୟାସୀ ମାନେ ପରସ୍ପର ଆଦାନ ପ୍ରଦାନ କରି ପ୍ରସାଦ ସେବନ କରିଥିଲେ। ଶେଷରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ସାଧୁଭକ୍ତ, ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ମାନେ ପ୍ରସାଦ ସେବନ କରିଥିଲେ। ଆଜି ବକ୍କଳଧାରୀ ମହିମା ସମାଜ ସଭାପତି ସୁକଦେବ ବାବା ଓ ସଂପାଦକ ନିତ୍ୟାନନ୍ଦ ବାବାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । କମିଟି ସଭ୍ୟ ପ୍ରସନ୍ନ ବାବା, ପ୍ରଭାସ ବାବା, ବରିଷ୍ଠ ସନ୍ୟାସୀ ନଟବର ବାବା, ଗଦାଧର ବାବା, ଜୟରାମ ବାବା,ଦୀନବନ୍ଧୁ ବାବା, ସୁବ୍ରତ ବାବା,ସାଧୁ ଅନାମ ଦାସ,ଚୈତନ୍ୟ ଦାସ, ବିଶ୍ୱ।ନନ୍ଦ ଦାସ ପ୍ରମୁଖଙ୍କ ସହାୟତାରେ ନବାନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା।