ମହା ଆଡମ୍ବରରେ ସରିଲା ମହାଦେବଙ୍କ ବାହାଘର । ଦେବ ଦେବ ମହାଦେବ ଧରିଛନ୍ତି ଦେବୀ ପାର୍ବତୀଙ୍କ ହାତ। ଗତକାଲି ଦିନ ସାରା ଉଭୟ ବର ଓ କନ୍ୟା ଘର ଚଳଚଞ୍ଚଳ ହୋଇ ଉଠିଥିଲା । ସଂଧ୍ୟାରେ ମାତା ପାର୍ବତୀଙ୍କୁ ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ, ତୈଳାଭିଷେକ ଆଦି ନୀତି ଶେଷ ହୋଇ ରାତିରେ ବରବେଶରେ ସଜ୍ଜିତ କରାଯାଇଥିଲା । ମହାଆଳତୀ ପରେ କନ୍ୟା ଘର ଅଭିମୁଖେ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା । ବାଜା,ବାଣ ଓ ରୋଷଣୀ ସହ ନାଚଗୀତରେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ଯାଇଥିଲା। ଖୁବ୍ ଜାକଜମକରେ ବିବାହ ଶୋଭାଯାତ୍ରା ଗୋଟିଏ ପରେ ଗୋଟିଏ ପଡା ଅତିକ୍ରମ କରି କନ୍ୟା ଘରେ ପହଞ୍ଚିଥିଲା । ବାଟବରଣୀ ପରେ ବୈଦିକ ରୀତିନୀତିରେ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା।
ବିବାହ ସମ୍ପନ୍ନ ହେବା ପରେ ଆଜି ବିବାହ ବେଦୀରେ ଦର୍ଶନ ଦେଉଛନ୍ତି ନବ ଦମ୍ପତି । ଆଜି ଦିନ ତମାମ କନ୍ୟାପିତା ମାତା ଘରେ ଯୁଗଳ ଦର୍ଶନ ଦେବେ ନବ ଦମ୍ପତି । ରାତିରେ ଅନୁଷ୍ଠିତ ହେବ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା । କାଲି ସନ୍ଧ୍ୟାରେ ମନ୍ଦିର ପ୍ରବେଶ କରିବେ ଦେବ ଦମ୍ପତି ।