ମୟୁରଭଞ୍ଜ: ଖୁଦୁରୁକୁଣି ଓଷା ଏକ ପାରମ୍ପାରିକ ଓଡ଼ିଆ ଓଷା। ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ପରିଚିତ। ଏହା କୁଆଁରୀ ଓଡ଼ିଆ ଝିଅ ମାନେ ପାଳନ କରିଥାନ୍ତି। ଏଥିରେ ମା ମଙ୍ଗଳାଙ୍କର ପୂଜା ଅର୍ଚନା କରାଯାଇଥାଏ। ତେବେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଖୁଦୁରୁକୁଣୀଙ୍କୁ ପୂଜା କରନ୍ତି ଅବିବାହିତା ଝିଅ ମାନେ ଏବଂ ନିଜ ଭାଇଙ୍କର ଶୁଭ ମନାସୀ ଏହି ଓଷା କରନ୍ତି। ଏହିଦିନ ଝିଅ ମାନେ ବଢି ଭୋରୁ ଗାଁ ଦାଣ୍ଡରେ ବୁଲି ଫୁଲ ତୋଳନ୍ତି। ଏହାପରେ ନଦୀ ବା ପୁଷ୍କରଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ବଜ୍ରମୂଳୀ ଦାନ୍ତକାଠି ପୋତି ଫୁଲରେ ସଜାଇ ପୂଜା କରନ୍ତି। ତେବେ ରବିବାର ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ନୂଆଗାଁ ଗ୍ରାମର ଝିଅମାନେ ମେଳି ହୋଇ ଫୁଲ ହାର ତିଆରି କରି ମାଆଙ୍କ ପୂଜା ପାଇଁ ପ୍ରସ୍ତୁତି କରିଥିଲେ। ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତର ପୁରାଣ ପଢିବା ସହିତ ମାଆ ମଙ୍ଗଳାଙ୍କଠାରେ ଭୋଗ ଲଗେଇଥିଲେ ଓ ପୂଜା ଶେଷରେ ଶଙ୍ଖ, ହୁଳହୁଳି ମଧ୍ୟରେ ଖଇ, ଉଖୁଡା, ଖସା ଲଡୁ ଓ ନାନାଦି ଫଳରେ ଭୋଗ ଲଗେଇ ଥିବା ଦେଖିବାକୁ ମିଳିଥିଲା। କିମ୍ବଦନ୍ତୀ ଅନୁସାରେ ଓଡ଼ିଶାରେ ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ। ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ କରିଥିଲେ। ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିଥାନ୍ତି।