ଥମୁନି ମୂର୍ତ୍ତି ଉଚ୍ଚତା ବିବାଦ: କଟକିଆଙ୍କ ସ୍ୱାଭିମାନ୍ ବନାମ୍ ରାଜ୍ୟ ସରକାରଙ୍କ ଜିଦ୍ କାହାର ହେବ ଜିତ୍‌?
Khabar Odisha:Cuttack-Statue-Height-Issues

କଟକ, ସେପ୍ଟେମ୍ବର ୧୫ (ଖବର ଓଡ଼ିଶା): ଥମୁନି କଟକ ମୂର୍ତ୍ତି ଉଚ୍ଚତା ବିବାଦ । ଗୋଟିଏ ପଟେ କଟକିଆଙ୍କ ସ୍ୱାଭିମାନ୍ ଆଉ ଶହ ଶହ ବର୍ଷର ପୁୁରୁଣା ପରମ୍ପରା ଓ ଅନ୍ୟପଟେ ରାଜ୍ୟ ସରକାରଙ୍କ ଜିଦ୍ ଆଉ କିଛି ବିତଣ୍ଡା ଯୁକ୍ତି । ଏଭଳି ପରିସ୍ଥିତିରେ ମାମଲା ଏବେ ଯାଇ ହାଇକୋର୍ଟରେ ପହଞ୍ଚିଲାଣି, ତଥାପି ବିବାଦର ହୋଇ ପାରୁନି ସମାଧାନ ।

ଦୂର୍ଗାପୂଜାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯାଇ ମୁହାଁମୁହିଁ ହୋଇଛନ୍ତି ବିରୋଧି ଓ ଶାସକ ଦଳ । ପୂର୍ବରୁ ସମାଧାନର ରାସ୍ତା ବାହାର କରିବା ପାଇଁ କଟକ ଶାନ୍ତି କମିଟି ଓ ପୂଜା କମିଟିର ବୈଠକ ବସିଥିଲା ମାତ୍ର ମୂର୍ତ୍ତି ଉଚ୍ଚତାକୁ ନେଇ ଛିଡି ନଥିଲା ବିବାଦ ।

ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ୍ କୁ ବିରୋଧ କରି କଟକର ବହୁ ପୂଜା କମିଟି ଓ ଅନ୍ୟାନ ସାମାଜିକ ସଂଗଠନ ଦୀର୍ଘ ଦିନ ହେଲା ଆନ୍ଦେଳନ କରିଆସୁଛନ୍ତି । ବିରୋଧି କଂଗ୍ରେସ ମଧ୍ୟ ଅନଶନରେ ବସିଛି ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାବିରେ । ବିଜେପି ପକ୍ଷରୁ ମଧ୍ୟ ପ୍ରସଙ୍ଗକୁ ସମର୍ଥନ କରାଯାଇ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ଆଉ ଥରେ ଚିନ୍ତା କରିବାକୁ ନିବେଦନ କରାଯାଉଛି । ହେଲେ ଏବେବି ନିଜ ଜିଦ୍ ରେ ଅଟଳ ରାଜ୍ୟ ସରକାର ।

ଏଭଳି ସ୍ଥିତିରେ କଟକିଆଙ୍କ ସ୍ୱାଭିମାନ୍ ବନାମ୍ ରାଜ୍ୟ ସରକାରଙ୍କ ଜିଦ୍ ର ଯେଉଁ ଲଢେଇ ଜାରି ରହିଛି ସେଥିରେ ରାଜ୍ୟ ସରକାର କଟକବାସୀଙ୍କୁ ବୁଝାଇବାରେ ସମର୍ଥନ ହେବେ ନା ରାଜ୍ୟ ସରକାର ନିଜ ନିଷ୍ପତି ବଦଳାଇବାକୁ ବାଧ୍ୟ ତାକୁ ନେଇ ଏବେବି ରହିଛି ଦ୍ୱନ୍ଦ ।

ଅନ୍ୟପଟେ ହାଇକୋର୍ଟରେ ଏହି ମାମଲାର ଆଗକୁ ଶୁଣାଣୀ ହେବାକୁ ଥିବା ବେଳେ ମା’ଙ୍କ ପୂଜା ପ୍ରସ୍ତୁତିକୁ ନେଇ ଦିନ ଗଡି ଗଡି ଯାଉଛି । କରୋନା ଓ କଟକଣା ମଧ୍ୟରେ ପୂଜା ଆୟୋଜନ ଉପରେ ପୁଣି ହାତରେ ସମୟ କମ୍ ଏଭଳି ସ୍ଥିତିରେ ଚଳିତ ବର୍ଷ କଟକ ଦୂର୍ଗାପୂଜାକୁ ନେଇ ଏକ ବଡ଼ ଆଶଙ୍କା ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment