ଭୁବନେଶ୍ୱର, ଏପ୍ରିଲ ୨୫( ଖବର ଓଡ଼ିଶା):
କାଲି ପବିତ୍ର ଅକ୍ଷୟ ତୃତୀୟା ।ରାଜ୍ୟରେ ଜାରି ରହିଥିବା କରୋନା କଟକଣା ପାଇଁ ଚଳିତ ଥର ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନ ଯାତ୍ରାର ବିଧି ।
ଲକ୍ ଡାଉନ୍ ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।
ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ରଥକାଠ ପୂଜା ଏବଂ ବାହାର ଚନ୍ଦନ ଯାତ୍ରା ବିଧିକୁ ଶ୍ରୀମନ୍ଦିର ଭିତରେ କିପରି କରାଯିବ ସେନେଇ ଆଜି ଏକ ବୈଠକ ରେ ଆଲୋଚନା ହେବ । ଜନଗହଳି ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ ନୀତି ସଂପାଦନ କରାଯିବ । ମେଘନାଦ ପାଚେରୀକୁ ଲାଗି ରହିଥିବା ସାହାଣି ମଣ୍ଡପ ନିକଟରେ ରଥକାଠ ପୂଜା କରାଯିବ । ଏହି ବିଧି କିପରି କରାଯିବ ସେନେଇ ସେବାୟତଙ୍କ ସହିତ ଆଲୋଚନା ହେବ ।