ମୁଖ୍ୟ ଆକର୍ଷଣ ନିଖୋଜ
Khabar Odisha:Main-attraction-extinct
କୋଣାର୍କ,୧୪ ମେ ( ଖବର ଓଡ଼ିଶା) : କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟରେ କଳା ବଉଦିଆ ଦିନେ ଥିଲା ପର୍ୟ୍ୟଟକଙ୍କ ମୁଖ୍ୟ ଆକର୍ଷଣ ।  କୃଷ୍ଣସାର ମୃଗ ନାମରେ  ପରିଚିତ କଳା ବଉଦିଆ  ଏବେ ଖୋଜିଲେ ବି ଗୋଟେ ନାହିଁ ।  ଏକଥା ବନ ବିଭାଗର  ରିପୋର୍ଟ କହୁଛି ।  ୧୯୫୬-୫୭ ମସିହାରେ  ୮୭  ବର୍ଗ କିଲୋମିଟର ପରିମିତ ଅଂଚଳରେ ଉପକୂଳ ଅବକ୍ଷୟକୁ ରୋକିବାପାଇଁ  ଝାଉଁବଣର ସୃଷ୍ଟି କରାଯାଇଥିଲା ।
 
ମନୁଷ୍ୟକୃତ  ଏହି ଉଦ୍ୟାନ ୧୯୮୪ ମସିହାରେ ଅଭୟାରଣ୍ୟର ମାନ୍ୟତା ପାଇଲା ।  ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ କୃଷ୍ଣସାର ମୃଗ ହରିଣ, କୁଟୁରା, ଠେକୁଆ, ବିଲୁଆ ଇତ୍ୟାଦି ଜୀବଜନ୍ତୁମାନଙ୍କ ସଂଖ୍ୟା ବଢ଼ିବା ସହିତ  ପର୍ୟ୍ୟଟକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିଲା ।  କିନ୍ତୁ  ୧୯୯୯ ମହାବାତ୍ୟା ପରେ ପରେ  ଉକ୍ତ ଅଭୟାରଣ୍ୟ ଉପରେ ଘନେଇ ଆସିଲା  ବିପଦର  ଢେଉ । ଗୋଟିଏ ପରେ ଗୋଟିଏ ପ୍ରାଣୀ  ବିଲୁପ୍ତି ଆଡ଼କୁ ମୁହାଁଉଥିବା ବେଳେ ଜନସଂଖ୍ୟାର ଚାପ ଜଙ୍ଗଲ ଭିତରେ ବଢ଼ୁଥିଲା ।
 
କାଜୁ ସଂଗ୍ରହ ପାଇଁ ସ୍ଥାନୀୟ ବାସିନ୍ଦା ଅଭୟାରଣ୍ୟ ଭିତରକୁ ମନଇଚ୍ଛା ପ୍ରବେଶ କରୁଥିବା ବେଳେ ମୃଗ ପରି ନିରୀହ ପ୍ରାଣୀମାନେ ଜୀବନ ବଂଚିବା ପାଇଁ ଜନବସତିକୁ ଆସିଯାଉଥିଲେ । ଫଳରେ ସେମାନେ ଅଧିକାଂଶ କୁକୁର କାମୁଡ଼ାର ଶିକାର ହୋଇ ମୃତାହତ ହେଉଥିଲେ ।  ଏବେ ଖୋଜିଲେ ବି ଗୋଟିଏ କୃଷ୍ଣସାର ମୃଗ ମିଳିବା କଷ୍ଟକର । ଜଙ୍ଗଲ ବିଭାଗ ଅଧିକାରୀମାନେ  ଗଂଜାମ ଜିଲ୍ଳାର ଭେଟନଈ ଅଂଚଳରୁ  କୃଷ୍ଣସାର ମୃଗଙ୍କୁ  ଆଣି ଏହି ଅଭୟାରଣ୍ୟରେ ଛାଡ଼ିବାପାଇଁ ଯୋଜନା କରିଛନ୍ତି, ତାହା ମଧ୍ୟ ଫାଇଲ ଭିତରୁ ବାହାରକୁ ଆସିପାରିନାହିଁ ।  ଅପରପକ୍ଷରେ ଅଭୟାରଣ୍ୟରେ  ମାତ୍ରାଧିକ କାଜୁଗଛ ଓ କଂଟାଜାତୀୟ କୋଳି ଗଛର  ସଂଖ୍ୟା ହ୍ରାସ ଏଇ ପ୍ରାଣୀମାନଙ୍କ ପାଇଁ  ଅନୁପଯୁକ୍ତ ପରିବେଶ ସୃଷ୍ଟି କରିଛି ।  ଆବଶ୍ୟକୀୟ  ସୁରକ୍ଷା, ସଂରକ୍ଷଣ ଓ ଖାଦ୍ୟ ଉପଯୋଗୀ  ଚାରାରୋପଣ ଦିଗରେ  ମନୋନିବେଶ କରାଗଲେ ବାଲୁଖଣ୍ଡ ଅଭୟାରଣ୍ୟରୁ ନିଖୋଜ କଳା ବଉଦିଆ  ପୁଣି ଫେରି ଆସିବେ ।
  • Tags:

Subscribe

National International State Sports Entertainment