ନବୀନଙ୍କୁ ଘାରିଛି ମୋଦୀ ଭୟ, ଗୋଟିଏ ମଂଚରେ ବସିବାକୁ ଅରାଜି, ଚୁଲିକୁ ଯାଉ ରାଜ୍ୟ ସ୍ୱାର୍ଥ
Khabar Odisha:odisha-politics-naveen-modi
ଭୁବନେଶ୍ୱର, ଜାନୁଆରୀ ୧୧(ଖବର ଓଡିଶା):

କେନ୍ଦ୍ରରେ ନେତୃତ୍ୱାଧିନ ଏନଡିଏ ସରକାର ଓଡିଶା ତଥା ଦେଶର ସାମଗ୍ରିକ ବିକାଶ ଲାଗି ଲଗାତାର ଭାବେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାରେ ବ୍ୟସ୍ତ । ଅନେକ ଜନକଲ୍ୟାଣକାରୀ ଯୋଜନାରେ ଓଡିଶାବାସୀଙ୍କୁ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରୁଛନ୍ତି । କିନ୍ତୁ ଏ ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରକିତାର ଅଭାବ ଅନେକ ସମୟରେ ପରିଲକ୍ଷିତ ହେଉଛି । ଶାସକ ବିଜେଡି ବିକାଶରେ କେନ୍ଦ୍ରକୁ ଆବଶ୍ୟକୀୟ ସହଯୋଗ କରୁନଥିବା ଦେଖାଯାଉଛି । 

ଅନେକ ସମୟରେ ବିଭିନ୍ନ ଆଳ ଦେଖାଇ ବିଜେଡି ବିଧାୟକ ଏବଂ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ନ ଯାଇ ଅଯଥା ମୋଦୀ ସରକାରଙ୍କୁ ନିଚା ଦେଖାଉଥିବା ବେଳେ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଖୋଦ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଗତ ଜାନୁଆରୀ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦାରେ ଅନେକ ଜନକଲ୍ୟାଣକାରୀ ପ୍ରକଳ୍ପ ହାତକୁ ନେବା ସହ ଉଦଘାଟନ ମଧ୍ୟ କରିଥିଲେ । ଯେଉଁଥିରେ ରାଜ୍ୟ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ହେଲେ ନବୀନ ପୁରୀରେ ସେହିଦିନ କେନ୍ଦ୍ରର ବିକାଶ କାର୍ଯ୍ୟକ୍ରମକୁ ନ ଯାଇ ତରବରିଆ ଭାବେ ମହିଳା ସଶକ୍ତିକରଣ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଗୋଟିଏ ମଂଚରେ ବସିବାକୁ ଇଚ୍ଛା ପ୍ରକାଶ କରିନଥିଲେ । ଯାହା ରାଜ୍ୟର ବିକାଶ ପ୍ରତି ନବୀନ ସରକାରଙ୍କ ଦରଦ କେତେ ତାହା ପଦାରେ ପକାଇ ଦେଇଥିଲା । ସେହଭଳି ଆସନ୍ତା ୧୫ ତାରିଖରେ ମୋଦୀ ପୁନର୍ବାର ରାଜ୍ୟର ବିକାଶ ପାଇଁ ଓଡିଶା ଆସୁଛନ୍ତି । ବଲାଙ୍ଗିରରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । କିନ୍ତୁ ସମାନ ଭାବେ ଏହି କାର୍ଯ୍ୟକ୍ରମକୁ ମଧ୍ୟ ନବୀନ ନିଜର ହୀନସ୍ୱାର୍ଥ ପାଇଁ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ସେହିଦନ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦ୍ୱାହି ଦେଇ ନିଜର ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ରାଜଧାନୀରେ ଏକ ଚାଷୀ ସମାବେଶ କରିବେ । ବିକାଶ ଚୁଲିକୁ ଯାଉ ନୀତିରେ ନବୀନ କେନ୍ଦ୍ରକୁ ଚେକ ଦେବେ । ତେବେ ରାଜ୍ୟ ସରକରାଙ୍କ ଚାଷୀ ଏବଂ ଚାଷ ପ୍ରତି କେତେ ଚିନ୍ତା ଦାହା ଦିଲ୍ଲୀ ସମାବେଶରୁ ସ୍ପଷ୍ଟ ହୋଇ ସାରିଛି ।

ଗୋଟିଏ ପରେ ଗୋଟିଏ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ନ ଯାଇ ନବୀନ କଣ ସଙ୍କେତ ଦେବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସେ କେନ୍ଦ୍ରକୁ କୌଣସୀ ପ୍ରକାର ସହଯୋଗ କରିବାକୁ ଚାହୁଁ ନଥିବା ଅନୁମାନ କରାଯାଉଛି । ବୋଧହୁଏ କେନ୍ଦ୍ର ଯୋଜନାକୁ ହଡପ କରିବାରେ ମାହିର ଥିବା ନବୀନ ଏହି କାର୍ଯ୍ୟକ୍ରମକୁ ହାତେଇ ଆଉ ଓଡିଶାବାସୀଙ୍କୁ ଭୂଆଁ ବୁଲାଇ ପାରିବେନି ବୋଲି ଜାଣି ସାରିଛନ୍ତି । ଯାହା ବିଜେଡିର ଭୋଟବ୍ୟାଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ । ଦିନକୁ ଦିନ ରାଜ୍ୟରେ ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା ମଧ୍ୟ ଆଉ ଏକ କାରଣ ହୋଇପାରେ । ତେବେ ସେ ଯାହା ହେଉନା କାହିଁକି ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଗୋଟିଏ ପାଦ ଆଗକୁ ବଢାଇଲେ ନବୀନଙ୍କ ଦୁଇ ପାଦ ପଛକୁ ଯିବା ନୀତି ରାଜ୍ୟବାସୀ ବିକାଶ ପାଇଁ ବାଧକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 

Subscribe

National International State Sports Entertainment