ଲକ୍ଷ୍ନୌ, ଅକ୍ଟୋବର୦୭(ଖବର ଓଡ଼ିଶା):
କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ନିଜର ସାଂସଦ ପାଣ୍ଠିର ଉପଯୋଗ କଂଗ୍ରେସର ଗଢ ରାଏବରେଲୀରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜେଟଲୀଙ୍କ ପ୍ରତିନିଧି ତଥା ଉତ୍ତର ପ୍ରଦେଶ ବିଜେପିର ମୁଖ୍ୟପାତ୍ର ହିରୋ ବାଜପେୟୀ କହିଛନ୍ତି ଯେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସାଂସଦ ପାଣ୍ଠିର ଅର୍ଥ ରାଏବରେଲୀରେ ଖର୍ଚ୍ଚ କରିବେ। କୁହାଯାଉଛି ଯେ ଏହି ପଦକ୍ଷେପ ଉଠାଇ ବିଜେପି ଲୋକସଭା ନିର୍ବାଚନ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ତାଙ୍କରି ଗଡ଼ରେ ଘେରିବାକୁ ପ୍ରସ୍ତୁତି କରୁଛି।
ସେ କହିଛନ୍ତି ଯେ ଜେଟଲୀ କିଛି ମାସ ପୂର୍ବେ ସାଂସଦ ପାଣ୍ଠିର ବିନିଯୋଗ କରିବାକୁ ରାଏବରେଲୀ ବାଛିଥିଲେ। ଜିଲ୍ଲାର ପ୍ରତିନିଧିତ୍ଵ ଦୀର୍ଘ ଦଶନ୍ଧି ଧରି ଗାନ୍ଧୀ ପରିବାର କରି ଆସୁଥିଲେ ମଧ୍ୟ ତଥାପି ଏହି ଜିଲ୍ଲା ବହୁତ ପଛୁଆ ରହିଛି। ବୋଧହୁଏ ଏଥିପାଇଁ ଜେଟଲୀ ଏହି ଜିଲ୍ଲାକୁ ଚୟନ କରିଛନ୍ତି। ନଭେମ୍ବର ପ୍ରଥମ କିମ୍ବା ଦ୍ଵିତୀୟ ସପ୍ତାହରେ ଜେଟଲୀ ରାଏବରେଲୀ ଗସ୍ତ କରି ପାରନ୍ତି ବୋଲି ବାଜପେୟୀ କହିଛନ୍ତି।
ଜିଲ୍ଲାର ଲୋକେ ଷ୍ଟାଡିୟମ, ବିଶ୍ଵ ବିଦ୍ୟାଳୟ, ସୌର ଶକ୍ତି ଓ ଉର୍ଜ୍ଜାରେ ଚାଳିତ ପମ୍ପର ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି। ଏହି ସବୁ ଦାବି ଗୁଡିକୁ ପୂରଣ କରିବାକୁ ପୂରା ପ୍ରୟାସ କରାଯିବ, ଯଦ୍ଵାରା ଜନତାଙ୍କୁ ଆଶ୍ଵସ୍ତି ମିଳି ପାରିବ। ରାଏବରେଲୀ ଦୀର୍ଘ ବର୍ଷ ଧରି ଅନ୍ଧାରରେ ରହି ଆସିଛି କାରଣ କଂଗ୍ରେସ ଶାସନ ସମୟରେ ଏଠାରେ ବିକାଶ ହୋଇ ନାହିଁ ମାତ୍ର ଏବେ ଏଠାରେ ବିକାଶର କିରଣ ଆସୁଥିବା ବାଜପେୟୀ କହିଛନ୍ତି।
ବିଶ୍ଳେଷକଙ୍କ ମୁତାବକ ଅରୁଣ ଜେଟଲୀଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ଗାନ୍ଧୀ ପରିବାରଙ୍କୁ ତାଙ୍କରି ଘରେ ଘେରିବା। ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଠିରେ କେନ୍ଦ୍ର ମନ୍ତ୍ରୀ ସ୍ମୁତି ଇରାନୀ ପୂର୍ବରୁ ବହୁତ ସକ୍ରିୟ ଅଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ ତାଙ୍କରି ଗଡ଼ରେ ମାତ୍ ଦେବା ପାଇଁ ସ୍ମୁତି ଇରାନୀ ଆକ୍ସନ ମୋଡ଼ରେ ନଜର ଆସୁଛନ୍ତି।
ସ୍ମୁତି ଇରାନୀ ଗତ ଦିନରେ ଆମେଠି ଓ ରାଏବରେଲିର ବିକାଶ ପ୍ରସଙ୍ଗରେ କଂଗ୍ରେସକୁ ନିଶାଣ କରି କହିଥିଲେ ଯେ ଯେଉଁ ଲୋକଙ୍କ ସଂସଦୀୟ କ୍ଷେତ୍ରରେ ଆଜି ମଧ୍ୟ ୮୦ ପ୍ରତିଶତ ଘର ଚାଳଛପର ରହିଛି, ସେମାନଙ୍କଠୁ ଦେଶର ବିକାଶ ଆଶା କରିବା ଉଚିତ୍ ନୁହଁ।