ସବୁଜିମା ପାଇଁ ସାଇକେଲ୍‌ରେ ବିଶ୍ୱଭ୍ରମଣ
Khabar Odisha:World-tour-in-cycle-for-wheels-for-green
ମନରେ ରହିଛି ସବୁଜିମା ସୃଷ୍ଟି କରିବାର ଲକ୍ଷ୍ୟ। ଏହାକୁ ହାସଲ ପାଇଁ ସଚେତନତାର ରାସ୍ତା ବାଛିଛନ୍ତି ହରିୟାଣାର ଜଣେ ଯୁବ ଡାକ୍ତର ରାଜ୍‌ ପାଣ୍ଡେନ୍‌ । ଏଥିପାଇଁ ସାଇକେଲ୍‌ରେ ବାହାରିଛନ୍ତି ବିଶ୍ୱଭ୍ରମଣରେ। 
 
ଅନେକଙ୍କୁ ଅସମ୍ଭବ ଲାଗୁଥିଲେ ହେଁ ଏହାକୁ ସମ୍ଭବ କରି ରାଜ ଗତ 22 ତାରିଖ ବୁଧବାର ପହଞ୍ଚିଥିଲେ ଭୁବନେଶ୍ୱର ଠାରେ । ୩୭ ବର୍ଷର ଏହି ଆୟୁର୍ବେଦିକ ଡାକ୍ତର ଫତେହବାଦ ଜିଲ୍ଲାର ଭୁନା ଗାଁର ବାସିନ୍ଦା । ୧୬ଟି ରାଜ୍ୟର ୧୧ ହଜାର କିମି ପଥ ସାଇକେଲ୍‌ରେ ଅତିକ୍ରମ କରି ‘ହ୍ୱିଲ୍ସ ଫର୍‌ ଗ୍ରୀନ୍‌’ ଅଭିଯାନକୁ ଏକଲା ଚଲୋ ମନ୍ତ୍ରରେ ଅଭିମନ୍ତ୍ରିତ କରିଛନ୍ତି ରାଜ୍‌। ୨୦୨୬ ସୁଦ୍ଧା ବିଶ୍ୱର ୨୦୦ ଦେଶର ଦୁଇଲକ୍ଷ କିମି ପରିଭ୍ରମଣ କରି ଜଙ୍ଗଲକୁ ଅବକ୍ଷୟରୁ ରକ୍ଷା, ବିଶ୍ୱ ତାପମାତ୍ରା ଓ ପ୍ରାକୃତିକ ସମ୍ବଳର ସୁରକ୍ଷା ଦିଗରେ ସଚେତନତା ଗଢ଼ି ତୋଳିବାର ଆଭିମୁଖ୍ୟ ରଖିଛନ୍ତି ଏହି ଡାକ୍ତର ରାଜପାଣ୍ଡେନ୍‌ ।
 
୨୦୧୬ ସେପ୍ଟେମ୍ବର ୫ରେ ହରିୟାନାରୁ ସାଇକେଲ୍‌ରେ ବାହାରିଥିବା ରାଜ୍‌ ଏହା ମଧ୍ୟରେ ପଞ୍ଚାବ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଞ୍ଚଳ, ଚଣ୍ଡିଗଡ, ଦିଲ୍ଲୀ, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପୁଡୁଚେରୀ ଦେଇ ଆନ୍ଧ୍ରପ୍ରଦେଶରେ ପହଞ୍ଚିଥିଲେ। ସେଠାରୁ ବ୍ରହ୍ମପୁର, ଖୋର୍ଦ୍ଧା ଦେଇ ଭୁବନେଶ୍ୱର ଅତିକ୍ରମ କରି ବୁଧବାର କଟକ ଠାରେ ରାତ୍ରି ଯାପନ କରିଛନ୍ତି ।
 
ଆସନ୍ତା ୧୦ ବର୍ଷରେ ୨ ଲକ୍ଷ କିମି ପଥ ଅତିକ୍ରମ ଲକ୍ଷ୍ୟ ରଖିଥିବା ରାଜ ବୁଧବାର ଦିନ ଭୁବନେଶ୍ୱର ଠାରେ ସାମ୍ବାଦିକମାନଙ୍କୁ ନିଜ ଜୀବନର ଦୁଃଖର ମୁହୂର୍ତ୍ତ ତାଙ୍କୁ ଏପରି ଏକ ଅଭିଯାନ ପାଇଁ ପ୍ରେରଣା ଯୋଗାଇଥିବା କହିଥିଲେ ।
 
ତାଙ୍କ ସାଇକେଲ୍‌ରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ଉପକରଣର ଏକ ଥଳି ରହିଛି । ଯୋଗାଭ୍ୟାସ ପାଇଁ ଆସନ ପଟି ଠାରୁ ଆରମ୍ଭ କରି ୪ ହଳ ପୋଷାକ, ଜିପିଏସ୍‌, ନାଭିଗେସନ୍‌ ଡିଭାଇସ୍‌, କ୍ୟାମେରା, ଲାପ୍‌ଟପ୍‌, ଛୋଟ ଏକ ଟେଣ୍ଟ ଏବଂ ପ୍ରୋଜେକ୍ଟର ରହିଛି । 
 
ରାଜ୍‌ ଏ ମଧ୍ୟରେ ୩୦୦ରୁ ଉର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଭେଟି ପ୍ଳାଷ୍ଟିକ୍‌ ପରିତ୍ୟାଗ ପାଇଁ ଶପଥ କରାଇଛନ୍ତି । ଗୋଟିଏ ଲେଖାଏଁ ଚାରା ରୋପଣ ପାଇଁ ପ୍ରୋତ୍ସାହିତ କରିଛନ୍ତି ଏବଂ ଶକ୍ତି ସଞ୍ଚୟର ମାର୍ଗଦର୍ଶନ କରାଇଛନ୍ତି ।
 
ଏହି ଯାତ୍ରାକାଳରେ ୨ କୋଟି ଲୋକଙ୍କୁ ଭେଟି ବାର୍ତ୍ତା ପ୍ରଦାନର ଲକ୍ଷ୍ୟ ରଖିଥିବା ରାଜ ୧ ପ୍ରତିଶତ ସଫଳତାର ଆଶା ପୋଷଣ କରନ୍ତି । 
 
  • Tags:

Subscribe

National International State Sports Entertainment