ଏବେ ଜନତାର ଆକାଂକ୍ଷା ପୂରଣ କରିବାର ପ୍ରକୃଷ୍ଟ ସମୟ
Khabar Odisha:its-perfect-time-to-fulfill-public-demand
ଏଯାବତ୍‌ ଏକ୍‌ଜିଟ୍‌ ପୋଲ୍‌, ନିର୍ବାଚନ-ପୂର୍ବ ସର୍ବେକ୍ଷଣ, ନିର୍ବାଚନୀ ବିଶ୍ଲଷକ ଏବଂ ରାଜନୀତିଜ୍ଞ ପଣ୍ଡିତମାନଙ୍କର କଳ୍ପନାଜଳ୍ପନାକୁ ବିଫଳ କରି ଭାଜପା ଯେପରି ଭାବରେ ଉତ୍ତର ପ୍ରଦେଶ ଏବଂ ଅନ୍ୟ ରାଜ୍ୟମାନଙ୍କରେ ହୋଇଥିବା ନିର୍ବାଚନରେ ଅପ୍ରତ୍ୟାଶିତ ବିଜୟ ଲାଭ କଲା ତାହା ସମଗ୍ର ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଏକ ଅବିସ୍ମରଣୀୟ ଚମକ ସୃଷ୍ଟି କରିଛି । ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରୋଟି ରାଜ୍ୟ ବିଧାନସଭାରେ କ୍ଷମତାକୁ ଦଖଲ କରି ନିଜର ବିପକ୍ଷମାନଙ୍କୁ ବିଶେଷ କରି କଂଗ୍ରେସକୁ ସତ୍ତାରୁ ବହିଷ୍କାର କରିବା ଫଳରେ ରାଷ୍ଟ୍ରୀୟ ରାଜନୀତିରେ ଭାଜପାର ପତିଆରା ଏବଂ ମହତ୍ୱ ଅଦ୍ଭୂତପୂର୍ବ ଭାବରେ ଯେ ବଢ଼ିଯାଇଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କାରଣ ଏହାଦ୍ୱାରା ରାଜ୍ୟସଭାରେ ସଭାଧୀଷ୍ଟ ଭାଜପାର ସଦସ୍ୟ ସଂଖ୍ୟା ବଢ଼ିଯିବ । ସରକାରଙ୍କୁ ରାଜ୍ୟସଭାରେ ବହୁମତ ହାସଲ ହୋଇଯିବା ଫଳରେ ରାଜ୍ୟ ସରକାରଙ୍କ ସମସ୍ତ ବିଲ କୌଣସି ବିରୋଧର ସମ୍ମୁଖୀନ ନହୋଇ ଅକ୍ଳେଶରେ ପାରିତ ହୋଇପାରିବ ଏବେ । କଂଗ୍ରେସର ଅଧିକ ସଦସ୍ୟ ରାଜ୍ୟସଭାରେ ଥିବାରୁ ସରକାରୀ ବିଲ୍‌ଗୁଡିକ ମଧ୍ୟରୁ ଅଧିକାଂଶ ପାଶ୍‌ ହୋଇନପାରି ପଡି ରହୁଥିଲା । ଫଳରେ ସରକାର ନୀତିଗତ ନିଷ୍ପତ୍ତି ନେବାରେ ବିଫଳ ହେଉଥିଲେ । ଅଦ୍ୟାବଧି କଂଗ୍ରେସ ସହ ଅନ୍ୟ ବିପକ୍ଷମାନେ ମିଶି କୌଣସି ବିଧେୟକ ବିଷୟରେ ସାର୍ଥକ ଆଲୋଚନା ଅଥବା ବିତର୍କ ନକରି ନିଜ ସଂଖ୍ୟାବଳର ଆଧାରରେ କେବଳ ବିରୋଧ ହିଁ ବିରୋଧ କରି ଆସୁଥିଲେ । ଅବଶ୍ୟ ରାଜ୍ୟ ସରକାରଙ୍କୁ ରାଜ୍ୟସଭାରେ ନିଜର ବହୁମତ ହାସଲ କରିବା ନିମନ୍ତେ ଆହୁରି ବର୍ଷେରୁ ଉର୍ଦ୍ଧ୍ୱ ସମୟ ଲାଗିବା ସମ୍ଭବ ବୋଲି ମନେହୁଏ ।
 
ସେ ଯାହା ହେଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ ଭାଜପାକୁ ପ୍ରଚଣ୍ଡ ବହୁମତ ସହିତ ଯେପରି ଚାରୋଟି ରାଜ୍ୟର କ୍ଷମତା ଦଖଲ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ ହୋଇଛି । ସେଥିରୁ ଏହା ସୁସ୍ପଷ୍ଟ ଯେ ସେଇ ରାଜ୍ୟମାନଙ୍କର ବିକାଶର ଦାୟିତ୍ୱ ବର୍ତ୍ତମାନ ସିଧାସିଧା ମୋଦିଙ୍କ କାନ୍ଧ ଊପରେ ପହିଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଚେହେରାକୁ ଦେଖି ଲୋକ ଭୋଟ ଦେଇଛନ୍ତି । ସେମାନଙ୍କ ବିଶ୍ୱାସକୁ ବଜାୟ ରଖି ରାଜ୍ୟମାନଙ୍କରେ ଭ୍ରଷ୍ଟାଚାର ମୁକ୍ତ ଓ ଜାତିଧର୍ମ ନିର୍ବିଶେଷରେ ପାତର ଅନ୍ତର ମୁକ୍ତ ସର୍ବାଙ୍ଗୀନ ବିକାଶ ହିଁ ବର୍ତ୍ତମାନର ସର୍ବୋଚ୍ଚ ଆବଶ୍ୟକତା । ଆଉ ଏହା ଉପରେ ନିର୍ଭର କରୁଛି ୨୦୧୯ରେ ହେବାକୁ ଥିବା ଜାତୀୟ ସାଧାରଣ ନିର୍ବାଚନରେ ଭାଜପାର ସଫଳତା । ଏଥିପାଇଁ ଜନତାର ଅପେକ୍ଷା ବହୁତବେଶୀ ଓ ସମୟ ଅନେକ କମ । ମାତ୍ର ଦୁଇବର୍ଷ ମଧ୍ୟରେ ଭାଜପା ସଭାରେ ଥିବା ରାଜ୍ୟମାନଙ୍କରେ ଏପରି ଏକ ଆଖିଦୃଶିଆ ବିକାଶ ପର୍ବର ଅଭୁଦୟ ହେବା ଆବଶ୍ୟକ, ଯାହା ଆଗାମୀ ସାଧାରଣ ନିର୍ବାଚନ ସକାଶେ ଜନମତକୁ ପ୍ରଭାବିତ କରିବା ନିମିତ୍ତ ସଫଳ କାମ ହେବ ।
 
୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ବେଳକୁ ଦେଶର ରାଜନୀତିକ ସ୍ଥିତି ଏବେଠୁ ଆକଳନ କରିବା ଯଦିଚ କଷ୍ଟ ତଥାପି ପ୍ରଧାନମନ୍ତ୍ରୀ ନିଜ ଦଳର କାର୍ୟ୍ୟକର୍ତ୍ତାମାନଙ୍କୁ ଫଳ ଭାରେ ନଇଁ ପଡୁଥିବା ବୃକ୍ଷ ସଦୃଶ ନମ୍ରତା ଆଚରଣ ପାଇଁ ସାବଧାନ କରାଇବା ଯେ ଏକ ଅତି ମୁହୂର୍ତ୍ତପୂର୍ଣ୍ଣ ଦିଗ ଏଥିରେ ଦ୍ୱିମତ ହେବାର ଅବକାଶ ହିଁ ନାହିଁ । କାରଣ କ୍ଷମତାର ଅନ୍ଧଗଳିରେ ପ୍ରବେଶ କରିଥିବା ବ୍ୟକ୍ତି ଶେଷରେ ସତ୍ତା ପ୍ରାପ୍ତି ଦ୍ୱାରା ମଦୋନ୍ମତ୍ତ ହୋଇ ନିଜର ତଥା ସଙ୍ଗଠନର ଅଶେଷ କ୍ଷତିସାଧନ କରିବା ଏକ ସାଧାରଣ ମନୁଷ୍ୟ ସୁଲଭ ଦୁର୍ଗୁଣ ଅଟେ । ଯଦିଚ ବର୍ତ୍ତମାନ ପର୍ୟ୍ୟନ୍ତ ଭାଜପା ନେତାମାନଙ୍କ ଠାରେ ଏହା ପରିଦୃଷ୍ଟ ହୋଇନାହିଁ । ସେଇପରି ପାର୍ଟି କାର୍ୟ୍ୟାଳୟରେ କାର୍ୟ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିର୍ବାଚନରେ ବିଜୟ ସକାଶେ ଅତ୍ୟଧିକ ଉତ୍‌ଫୁଲିତ ହେବା ପରିବର୍ତ୍ତେ ବରଂ ସମସ୍ତେ ସମର୍ପିତ ହୃଦୟରେ ୨୦୨୨ ମଧ୍ୟରେ ନିଉ ଇଣ୍ଡିଆ ଗଠନ ଦିଗରେ ଆଗେଇ ଆସିବା ଉଚିତ ।
 
ସମଗ୍ର ଦେଶରେ ଏବେ ପ୍ରାୟ ୧୬ଟି ରାଜ୍ୟରେ ଭାଜପା ଅଥବା ଏହାର ଗଠବନ୍ଧନ ସରକାର କାର୍ୟ୍ୟ କରୁଛି । ଏହା ସହ କେନ୍ଦ୍ରରେ ମଧ୍ୟ ଭାଜପା ସରକାର ଥିବା ଦୃଷ୍ଟିରୁ ସେଇ ସମସ୍ତ ରାଜ୍ୟମାନଙ୍କରେ ଦ୍ରୁତ ବିକାଶ, ଆଇନ-କାନୁନ ବ୍ୟବସ୍ଥାରେ ଉନ୍ନତି, ନାରୀ ସୁରକ୍ଷା, ଲୋକ କଲ୍ୟାଣକାରୀ ଯୋଜନାରେ ତୀକ୍ତତା, କୌଶଲ ବିକାଶ ଦ୍ୱାରା ଯୁବ ସମାଜର କର୍ମ ନିଯୁକ୍ତି, କୃଷି କାର୍ୟ୍ୟରେ ଉନ୍ନତି, ମେକ୍‌ ଇନ ଇଣ୍ଡିଆ, ଷ୍ଟାଟ ଅପ ଇଣ୍ଡିଆ, ଷ୍ଟ୍ୟାଣ୍ଡ ଅପ ଇଣ୍ଡିଆ ଆଦି ଯୋଜନାର ସମୁଚିତ ପ୍ରସାର, ଦଙ୍ଗା ବିରୋଧ ଓ ସାମ୍ପ୍ରଦାୟିକ ସଦ୍‌ଭାବର ବିକାଶ ତଥା ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଢ଼ାଞ୍ଚାଗତ ବିକାଶ ଆଦି ସମ୍ବନ୍ଧରେ ଯାହା ପ୍ରଧାନମନ୍ତ୍ରୀ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସେ ସବୁ ଯୋଜନା ମାଧ୍ୟମରେ ନିଉ ଇଣ୍ଡିଆ ନିର୍ମାଣ ନିଗରେ ତ୍ୱରିତ ପଦକ୍ଷେପ ନେବାର ଅସଲ ବେଳ । ପୂର୍ବରୁ ମଧ୍ୟ କୁହାଯାଇଛି ଯେ ସମୟ ବହୁତ କମ ଏବଂ କାର୍ୟ୍ୟ ଅନେକ କଠିନ ଓ ଦୁରୂହ । କିନ୍ତୁ ଜନତାର ବିଶ୍ୱାସ ଯେ ମୋଦିଙ୍କ ନେତୃତ୍ୱ ହିଁ ଏହି ପୁରୂହ କାର୍ୟ୍ୟର ସଫଳ ରୂପାୟନର ଆନୟନ ଦିଗରେ ସମର୍ଥ ହୋଇପାରିବ । ମୋଦିଙ୍କ ମଧ୍ୟରେ ଜନତା ଅନୁଭବ କରିଛି ଅଦ୍ଭୁତ ଏବଂ ଅସାମାନ୍ୟ ସାମର୍ଥ୍ୟ ହୋଇପାରିବ । ମୋଦିଙ୍କ ମଧ୍ୟରେ ଜନତା ଅନୁଭବ କରିଛି ଅଦ୍ଭୁତ ଏବଂ ଅସାମାନ୍ୟ ସାମର୍ଥ୍ୟ ତଥା ପାରଦର୍ଶିତା ।
 
ଏଠାରେ ଏହା କୁହାଯାଇ ପାରିବ ଯେ ମୋଦିଙ୍କର ଗୁଣଗାନ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ ନୁହେଁ । ଗତ ତିନି ବର୍ଷ ମଧ୍ୟରେ ଭିନ୍ନଭିନ୍ନ ସମୟରେ ମିଡିଆମାନଙ୍କରେ ଯେଉଁ ତଥ୍ୟ ପ୍ରକାଶିତ ହୋଇଛି ସେଇ ଆଧାରରେ ଏହା କୁହାଯାଇପାରେ ଯେ ଭାରତକୁ ବିଶ୍ୱବକ୍ଷରେ ଏକ ଗୌରବଶାଳୀ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ କରିବା ନିମିତ୍ତ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ବିନା ଛୁଟିରେ ଦିନକୁ ୧୮/୨୦ ଘଣ୍ଟା ପରିଶ୍ରମ କରିଥାନ୍ତି । କିଛିଦିନ ପୂର୍ବେ ଆମର ମହାମହିମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଅଧିକ ପରିଶ୍ରମ କରୁଥିବା ଜଣେ ପ୍ରଧାନମନ୍ତ୍ରୀ ତଥା ଅତି ଅଳ୍ପ ସମୟରେ ଅନେକ ଅଧିକ କଥା ଶିକ୍ଷା କରି ପାରୁଥିବା କ୍ଷମତା ସମ୍ପନ୍ନ ଜଣେ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଖାଲି ସେତିକି ନୁହେଁ ସେ ମୋଦିଙ୍କର କାର୍ୟ୍ୟ କରିବାର ଶୈଳୀ, ଦେଶର ଅର୍ଥବ୍ୟବସ୍ଥା ତଥା ବିଦେଶ ନୀତି କ୍ଷେତ୍ରରେ ତାଙ୍କର ପାରଦର୍ଶିତାକୁ ନେଇ ମଧ୍ୟ ଖୋଲା ହୃଦୟରେ ପ୍ରଶଂସା କରିଛନ୍ତି । କୌଣସି ରାଷ୍ଟ୍ରପତିଙ୍କ ଦ୍ୱାରା ଏପରି ପ୍ରଶଂସାର ଘଟଣା ବୋଧହୁଏ ପ୍ରଥମ ବୋଲି କୁହାଯାଇପାରେ ।  ଏବେ ଏବେ ମୋଦି ୟୁପିର ସମସ୍ତ ସାଂସଦ ମାନଙ୍କ ବୈଠକ ଡକାଇ ସେମାନଙ୍କୁ ନିଜ ପ୍ରଦେଶର କୌଣସି ପ୍ରଶାସନିକ ତଥା ପୋଷ୍ଟିଂ ଓ ଟ୍ରାନ୍ସଫର୍‌ ଆଦିରେ ହସ୍ତକ୍ଷେପ ନକରିବା ପାଇଁ ତାଗିଦ କରିଛନ୍ତି । ଭାଜପାର ସମସ୍ତ ସଂସଦ ତଥା ପ୍ରାଦେଶିକ ସ୍ତରର ନେତାମାନେ ଯଦି ମୋଦିଙ୍କ ବ୍ୟକ୍ତିତ୍ୱରୁ ଉପରୋକ୍ତ ଗୁଣଗୁଡିକର ପ୍ରେରଣା ଗ୍ରହଣ କରି ନିଷ୍ଠା, ମନଯୋଗ ସାଧୁତା ତଥା ପରିଶ୍ରମପୂର୍ବକ ନିର୍ବାଚନ ମାଧ୍ୟମରେ ସେମାନଙ୍କୁ ମିଳିଥିବା ସୁଯୋଗର ଉପଯୁକ୍ତ ବିନିଯୋଗ କରନ୍ତି ତେବେ ଜନ-ଆକାଂକ୍ଷାର ପୂର୍ତ୍ତି ହେବା ସଙ୍ଗେ ସଙ୍ଗେ ଭାରତ ନିକଟ ଭବିଷ୍ୟତରେ ବିଶ୍ୱ ପରିପ୍ରେକ୍ଷୀର ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବା ଯେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିବ ଏଥିରେ ସନ୍ଦେହର ଅବକାଶ ନାହିଁ । ଆଉ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ତ ଭାଜପାର ହାତମୁଠାରେ ।
 
  • Tags:

Subscribe

National International State Sports Entertainment