ଆମାଜନକୁ ୭୦ ଲକ୍ଷ ଠକିବା ଅଭିଯୋଗରେ ମହିଳା ଗିରଫ
Khabar Odisha:Woman-arrested-in-amazon-of-rs-70-lakh-fraud-cases
ବାଙ୍ଗାଲୋର, ମେ ୧୧(ଖବର ଓଡ଼ିଶା): ଅନଲାଇନ ବ୍ୟବସାୟ କମ୍ପାନୀ ‘ଆମାଜନ’କୁ ଠକିବା ଅଭିଯୋଗରେ ବାଙ୍ଗାଲୋର ପୁଲିସ ଜଣେ ମହିଳାକୁ ଗିରଫ କରିଛି । କର୍ଣ୍ଣାଟକ ରାଜଧାନୀ ବାଙ୍ଗାଲୋରରେ ଏହି ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କ ପାଖରୁ ବାରମ୍ବାର ସସ୍ତା ଜିନିଷ ଫେରି ଆସିବା ଘଟଣାକୁ ନେଇ କମ୍ପାନୀ ପକ୍ଷରୁ ସନ୍ଦେହ କରାଯାଇଥିଲା । ଏସମ୍ପର୍କରେ ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ସ୍ଥାନୀୟ ଏକ ଥାନାରେ ମହିଳାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଆମାଜନର କହିବା ଅନୁସାରେ ମହିଳା ଜଣକ ଆମାଜନ ଠାରୁ ଜିନିଷ କିଣୁଥିଲା । ଘରେ ପାର୍ସଲ ପହଂଚିବା ପରେ ତାହା ଖୋଲୁଥିଲା । ଆମାଜନ ପଠାଇଥିବା ପ୍ୟାକେଟରୁ ମଗାଇଥିବା ଜିନିଷକୁ ବାହାର କରିସାରିଲା ପରେ ମହିଳା ଜଣକ ଚତୁରତାର ସହିତ ସସ୍ତା ଜିନିଷ ପ୍ୟାକ କରି କମ୍ପାନୀକୁ ଫେରାଇ ଦେଉଥିଲା । ଏମିତି ଭାବରେ ସେ ପ୍ରାୟ ୭୦ ଲକ୍ଷ ଟଙ୍କା ଜିନିଷ ମଗାଇ, ସସ୍ତା ଜିନିଷ କମ୍ପାନୀକୁ ପଠାଇଥିଲା ।

ପୁଲିସ କହିବା ଅନୁସାରେ ଅଭିଯୁକ୍ତ ମହିଳାଙ୍କ ନାମ ଦୀପାମ୍ବିତା ଘୋଷ । ପେଶାରେ ଜଣେ ଇଞ୍ଜିନିୟର ଦୀପା ପଶ୍ଚିମବଙ୍ଗ ମୂଳ ନିବାସୀ ଅଟେ । ସେ ପତିଙ୍କ ସହିତ ବାଙ୍ଗାଲୋରରେ କିଛି ବର୍ଷ ହେଲା ରହି ଆସୁଛି । ଦୀପାଙ୍କ ବିରୋଧରେ ଆମଜନ ପକ୍ଷରୁ ଏପ୍ରିଲ ୧୮ରେ ଥାନାରେ ଅଭିଯୋଗ ଆସିଥିଲା । ଅଭିଯୋଗରେ ପୁଲିସ କହିଛି ନକଲି ନାମରେ ଦୀପା ୧୦୪ଟି ଜିନିଷ କିଣିଛି, ଯେଉଁଥିରେ ମହଙ୍ଗା ମୋବାଇଲ, ଡିଏସଏଲଆର କ୍ୟାମେରା, ଟିଭି ଓ ଅନ୍ୟ ଇଲେକଟ୍ରୋନିକ୍ ସାମାନ ଅନ୍ତର୍ଭୁକ୍ତ । ଦୀପା ଜିନିଷ ଡେଲିଭରି ହେବାର ୨୪ ଘଣ୍ଟା ଭିତରେ ଫେରାଇବାକୁ ଦାବି କରୁଥିଲା ।

ବାଙ୍ଗାଲୋର ପୁଲିସର ଉପାୟୁକ୍ତ କହିଛନ୍ତି, ଡେଲିଭରି ଓ କଲେକସନର ଠିକଣା ଅଲଗା ଅଲଗା ହୋଇଥାଏ । ନିଜର ଆକାଉଣ୍ଟରେ ଟଙ୍କା ଫେରି ଆସିବା ପରେ ଅଭିଯୁକ୍ତ ମହିଳା ସସ୍ତା ପ୍ରୋଡକ୍ଟ ପ୍ୟାକ୍ କରି ଆମାଜନକୁ ଫେରାଇ ଦେଉଥିଲା ଓ ଭଲ ଜିନିଷକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ପୁଲିସ କହିଛି ଯେ, ବାଙ୍ଗାଲୋରରେ ଏଭଳି ଠକ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଧିକ ତଦନ୍ତ ପାଇଁ ପୁଲିସ ଦୀପାକୁ ଗିରଫ କରିଛି ।

  • Tags:

Subscribe

National International State Sports Entertainment