ବ୍ରହ୍ମପୁର: ପଲିଥିନ ମୁକ୍ତ ହେବ ବ୍ରହ୍ମପୁର ସହର। ପରିବେଶ ସୁରକ୍ଷା ଏବଂ ସହରକୁ ସ୍ୱଚ୍ଛ ରଖିବା ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ ଏବେ କଡ଼ା ପଦକ୍ଷେପ ନେବାକୁ ଯାଉଛି। ଆସନ୍ତାକାଲିଠାରୁ ସହରରେ ପଲିଥିନ ବିକ୍ରି ଓ ବ୍ୟବହାର ଉପରେ ଜୋରଦାର ଚଢ଼ାଉ ଆରମ୍ଭ ହେବ। ନିୟମ ଉଲ୍ଲଂଘନ କଲେ କେବଳ ବ୍ୟବସାୟୀ ନୁହେଁ, ଗ୍ରାହକମାନେ ମଧ୍ୟ ତଣ୍ଡ ଗଣିବେ।
‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅଧୀନରେ ସହରରେ ସ୍ୱଚ୍ଛତାକୁ ନେଇ ଚାଲିଥିବା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଏବେ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ମଙ୍ଗଳବାର ଭଳି ଆଜି କମାପଲ୍ଲୀ ପରିବା ବଜାରରେ ଆୟୋଜିତ ଅଭିଯାନରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ମହାନଗର ନିଗମ ଆୟୁକ୍ତ ଏ. ସସ୍ୟା ରେଡ୍ଡୀ, ମେୟର ସଂଘମିତ୍ରା ଦଳେଇ ଏବଂ ଉପ ଆୟୁକ୍ତ ଆଶୀର୍ବାଦ ପରିଡ଼ାଙ୍କ ସମେତ ଅନେକ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ଏହି ଅବସରରେ ଜନସାଧାରଣଙ୍କୁ ପଲିଥିନର କୁପ୍ରଭାବ ସମ୍ପର୍କରେ ସଚେତନ କରାଯିବା ସହ ବିକଳ୍ପ ଭାବେ ଝୋଟ ବ୍ୟାଗ ବଣ୍ଟନ କରାଯାଇଥିଲା। ବିଧାୟକ ଲୋକଙ୍କୁ ଅନୁରୋଧ କରିଥିଲେ ଯେ, ପରିବେଶ ସୁରକ୍ଷା ପାଇଁ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ଛାଡ଼ି ଦିଅନ୍ତୁ ଏବଂ କପଡ଼ା କିମ୍ବା ଝୋଟ ବ୍ୟାଗ ବ୍ୟବହାର କରନ୍ତୁ।
ସବୁଠାରୁ ବଡ଼ କଥା ହେଉଛି, ଆସନ୍ତାକାଲିଠାରୁ ନିଗମର ସ୍ୱତନ୍ତ୍ର ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିବ। ପଲିଥିନ ବିକ୍ରି କିମ୍ବା ବ୍ୟବହାର କରୁଥିବା ବ୍ୟକ୍ତି ଧରାପଡ଼ିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ।
ତେଣୁ ଏବେଠାରୁ ସାବଧାନ! ବଜାରକୁ ଯିବାବେଳେ ପଲିଥିନ ନୁହେଁ, ସାଙ୍ଗରେ ନିଅନ୍ତୁ ଝୋଟ କିମ୍ବା କପଡ଼ା ବ୍ୟାଗ। ସ୍ୱଚ୍ଛ ଓ ସବୁଜ ବ୍ରହ୍ମପୁର ଗଢ଼ିବାରେ ସମସ୍ତଙ୍କ ସହଯୋଗ ହିଁ ସଫଳତାର ଚାବିକାଠି।