ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲରେ ବୈଠକ ହୋଇଛି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ପୁରୀ, ସତ୍ୟବାଦୀ ଓ ପିପିଲି ବିଧାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି । ରଥ ନିର୍ମାଣ, ସ୍ୱାସ୍ଥ୍ୟ ଓ ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ସୁରକ୍ଷା, ପରିବହନ ବ୍ୟବସ୍ଥା, ରାସ୍ତାଘାଟ ନିର୍ମାଣ, ସ୍ୱରେଜ୍, ଡ୍ରେନେଜ ଏବଂ ଟ୍ରାଫିକ୍ ବ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ବୈଠକରେ ସୂଚନା ଦେଇ କହିଥିଲେ ଏବର୍ଷ ଅଧିକ ଚାରମାଳ ସେଟ୍ ପାଇଁ ତାଳ ଗଛ କାଠ ପହଞ୍ଚିସାରିଛି।ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ।ରଥ ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ରଥ ନିର୍ମାଣ କମିଟି ଗଠନ କରାଯାଇଛି।ରଥ ଟଣା ଓ ପହଣ୍ଡିକୁ ଅଧିକ ଗୁରୁତ୍ଵ ଦିଆଯାଇଛି।ସେହିପରି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଅନେକ ପଦକ୍ଷେପ ନିଆଯାଇଛି।ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସମୟରେ ୨୦୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା ହେବ। ସହରର ବିଭିନ୍ନ ସ୍ଥାନରେ ହେବ ୩୦ ଟି ଆଶୁ ଆରୋଗ୍ୟ କେନ୍ଦ୍ର ହେବ।ଗହଳି ଓ ସମ୍ବେଦନଶୀଳ ସ୍ଥାନରେ ରାପିଡ ରେସ୍ପନ୍ସ ଟିମ୍ କାମ କରିବ ।୨୩୦ ଡାକ୍ତରଙ୍କ ସହ ସ୍ପେଶିଆଲିଷ୍ଟ ଡାକ୍ତର ଆସିବେ।ପୁରୀରେ ସ୍ଥାୟୀ ବର୍ଣ୍ଣ ଓ କ୍ୟାଥୋଲାବ ହେବ ବୋଲି ବୈଠକରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।ପୁରୀ ମହାନଗର ନିଗମ ପକ୍ଷରୁ ସହରର ସମସ୍ତ ନାଳ ଦୁଇ ଥର ସଫା କରାଯାଇଛି।ରେଡକ୍ରସ ରୋଡ ମୁଖ୍ୟ ଡ୍ରେନ ଓ ଗଙ୍ଗା ଯମୁନା ଡ୍ରେନ ସଫେଇ କରାଯାଇଛି।ବର୍ଷା ଜଳ ନିଷ୍କାସନ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ପମ୍ପ ରଖାଯିବ।ଦେବସ୍ନାନପୂର୍ଣ୍ଣମୀରେ ୩୦୦ ଅସ୍ଥାୟୀ ଶୌଚାଳୟକୁ ମିଶାଇ ସହରରେ ମୋଟ ୧୬୦୦ ଟି ଅସ୍ଥାୟୀ ଶୌଚାଳୟ ହେବ।୨୩ ଟି ସ୍ଥାନରେ ହେବ ଅସ୍ଥାୟୀ ପାର୍କିଂ ।ରଥଯାତ୍ରାରେ ସ୍ବଚ୍ଛତାକୁ ଗୁରୁତ୍ଵ ଦିଆଯାଇଛି ।
ରଥଯାତ୍ରା ସୁପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଥିଲେ ସମଗ୍ର ସହର ସିସିଟିଭି ନଜରରେ ରହିବ ।୧୭୦ ସିସିଟିଭି କ୍ୟାମେରା ଲଗାଯାଇ କାର୍ଯ୍ୟକ୍ଷମ ହୋଇଛି ।ମୋଟ ୪୭୫ ଟି ସିସିଟିଭି କ୍ୟାମେରା ଲାଗିବ ।ଜନଗହଳି ନିୟନ୍ତ୍ରଣ ପାଇଁ ୨୮ ଟି ଜରୁରୀକାଳିନ ପ୍ରସ୍ଥାନ ପଏଣ୍ଟ୍ ରହିବ ।ଆମ୍ବୁଲାନ୍ସ ଗ୍ରୀନ କରିଡ଼ର କରାଯିବ ।ସହରର ସୁରକ୍ଷା ପାଇଁ ଏନଏସଜି ସହ ସ୍ଵତନ୍ତ୍ର ଟାକ୍ଟୀକାଲ ୟୁନିଟ ମୁତୟନ ରହିବ । ଯାତ୍ରୀଙ୍କ ସହାୟତା ପାଇଁ ସହାୟତା ଆପ କାର୍ଯ୍ୟକାରୀ ହେବ ।ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖାଯାଇ ଜନଗହଳି ନିୟନ୍ତ୍ରଣ ,ଟ୍ରାଫିକ ସୁପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି , ଅପରାଧ ନିୟନ୍ତ୍ରଣ ,ରଥ ଟଣା ,ଦର୍ଶନ ପାଇଁ ଆଇପିଏସ ଅଧିକାରୀ ଦାୟିତ୍ୱରେ ରହିବେ।୧୫ ଲକ୍ଷ ଯାତ୍ରୀଙ୍କ ସମାଗମ ସମ୍ଭାବନା ରଖୁ ୧୩୦ ସ୍ଵତନ୍ତ୍ର ବସ ଚଳାଚଳ କରିବ।ସେହିପରି ରେଳ ବିଭାଗ ପକ୍ଷରୁ ୩୭୦ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ।ରେଗୁଲାର ଓ ସ୍ଵତନ୍ତ୍ର ଟ୍ରେନ୍ କୁ ମିଶାଇ ମୋଟ ୧୨୦୦ ଟ୍ରେନ୍ ଚଳାଚଳ କରିବ।୨୫୦୦୦ ଯାତ୍ରୀଙ୍କ ପାଇଁ ରେଳଷ୍ଟେସନ ପାଖରେ ହୋଲ୍ଡିଂ ଏରିଆ କରାଯାଉଛି ।୩୫ ଟି ଅତିରିକ୍ତ ଟିକେଟ କାଉଣ୍ଟର ଓ ୧୨ ଟି ଏଟିଭିଏମ କାର୍ଯ୍ୟ କରିବ । ୮୦୦ ଆରପିଏଫ ଙ୍କ ସହ ୧୫୦୦ ଜିଆରପି ମୁତୟନ ହେବେ ।
ବୈଠକ ପରେ ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ରଥଯାତ୍ରାକୁ ସୁରୁଖୁରେ ଏବଂ ତ୍ରୁଟି ଶୂନ୍ୟ କରିବାକୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ନୀତିକାନ୍ତି ଠାରୁ ଆରମ୍ଭ ବାହାର ବ୍ୟବସ୍ଥା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଯେଉଁ ବିଭାଗରେ ତ୍ରୁଟି ପରିଲକ୍ଷିତ ହୋଇଛି, ତ୍ରୁଟି ସୁଧାରିବାକୁ ସମ୍ପୃକ୍ତ ବିଭାଗକୁ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗତବର୍ଷ ଘଟିଥିବା ଅଘଟଣକୁ ଏଡ଼ାଇବାକୁ ଜାନୁଆରୀ ମାସଠାରୁ ଉଦ୍ୟମ ଜାରି ରହିଛି । ପ୍ରଭୁ ଜଗନ୍ନାଥଙ୍କ କରୁଣା ରହିଲେ ରଥାଯାତ୍ରା ତ୍ରୁଟିମୁକ୍ତ ହେବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।ଚିକିତ୍ସା ପାଇଁ ୨୦୦ରୁ ଅଧିକ ବେଡ୍ ପ୍ରସ୍ତୁତ କରାଯାଉଛି । ପ୍ରାୟ ୧୫୦୦ରୁ ଅଧିକ ଡାକ୍ତର ଓ ପାରା ମେଡ଼ିକାଲ୍ ଷ୍ଟାଫ୍ ନିୟୋଜିତ ହେବେ । ସେହିପରି ଆଇସିୟୁ ଏବଂ ଅସ୍ଥାୟୀ ବର୍ଣ୍ଣ ୟୁନିଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।