ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ହୃଦୟବିଦାରକ ଘଟଣା। ସାମାନ୍ୟ ବଚସାରୁ ଆରମ୍ଭ ହୋଇଥିବା ଝଗଡ଼ା ଶେଷରେ ନେଇଛି ଜଣେ ବାପାଙ୍କ ଜୀବନ। ବାରସୁଆଁ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗାବ୍ରିୟାଲ ସାହିରେ ପୁଅର ଛୁରୀ ଆଘାତରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଅଭିଯୁକ୍ତ ପୁଅ ଘଟଣା ପରେ ଫେରାର ହୋଇଯାଇଛି।
ମୃତକ ହେଲେ ଅସାଢୁ ନାଏକ। ଅଭିଯୁକ୍ତ ପୁଅ ରମେଶ ନାଏକ ଓରଫ୍ ଫାତୁ। ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ବାପା-ପୁଅଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଧୀରେ ଧୀରେ ବିବାଦ ଉଗ୍ର ରୂପ ନେଇଥିଲା।
ଅଭିଯୋଗ ଅନୁଯାୟୀ, ରାଗରେ ଅସାଢୁ ନାଏକ ଟାଙ୍ଗିଆରେ ପୁଅ ରମେଶଙ୍କୁ ଦୁଇରୁ ତିନିଥର ଆକ୍ରମଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ରମେଶ ଘରେ ପରିବା କାଟିବା ପାଇଁ ବ୍ୟବହୃତ ଛୁରୀ ଆଣି ବାପାଙ୍କ ବେକ ନିକଟରେ ଆଘାତ କରିଥିଲେ। ଗୁରୁତର ଆଘାତ ଯୋଗୁଁ ଅସାଢୁଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ବାପାଙ୍କ ମୃତ୍ୟୁ ପରେ ରମେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଲହୁଣୀପଡ଼ା ପୁଲିସ ପହଞ୍ଚି ଶବ ଜବତ କରିଥିଲା। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଛି। ଏଇ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।