କଟକ: ଓଡ଼ିଶା ହାଇକୋର୍ଟ ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଓ ଦୃଷ୍ଟାନ୍ତମୂଳକ ରାୟ ଶୁଣାଇଛନ୍ତି। କେବଳ ଜଣେ ମହିଳା ‘ବିବାହିତ ଝିଅ’ ହୋଇଥିବା କାରଣରୁ ତାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ରାୟକୁ ମହିଳାଙ୍କ ଅଧିକାର ଏବଂ ସମାନତା ଦିଗରେ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।
ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଏକକ ଖଣ୍ଡପୀଠ ଗୌରୀ ଜେନାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ରିଟ୍ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ମାମଲା ଅନୁଯାୟୀ, ଗୌରୀ ଜେନା ତାଙ୍କ ମୃତ ପିତାଙ୍କ ପରିବାରର ସଦସ୍ୟ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ। କିନ୍ତୁ ସେ ବିବାହିତ ହୋଇଥିବାରୁ ୨୦୧୬ ମସିହାରେ ଢେଙ୍କାନାଳ ସିଡିଏମଓ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ।
ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଗୌରୀ ଜେନା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ବେଳେ ତାଙ୍କ ପକ୍ଷର ଓକିଲ ହାଇକୋର୍ଟର ପୂର୍ବବର୍ତ୍ତୀ ଅନେକ ରାୟର ଉଦାହରଣ ଦେଇ ଯୁକ୍ତି ରଖିଥିଲେ ଯେ, ବିବାହିତ ଝିଅମାନେ ମଧ୍ୟ ମୃତ କର୍ମଚାରୀଙ୍କ ପରିବାରର ଅଂଶ ଏବଂ ସେମାନେ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ସମ୍ପୂର୍ଣ୍ଣ ଭାବେ ହକଦାର।
ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ମନ୍ତବ୍ୟ କରିଥିଲେ ଯେ, କେବଳ ବିବାହିତ ହୋଇଥିବା ଆଧାରରେ ଜଣେ ଝିଅଙ୍କ ଅଧିକାରକୁ ଅସ୍ୱୀକାର କରିହେବ ନାହିଁ। ତେଣୁ ଆବେଦନକାରିଣୀଙ୍କ ଆବେଦନ ଖାରଜ କରାଯାଇଥିବା ପୁରୁଣା ଆଦେଶକୁ କୋର୍ଟ ରଦ୍ଦ କରିଦେଇଛନ୍ତି।
ଏଥିସହିତ ମାମଲାଟିକୁ ପୁନର୍ବିଚାର ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଆବେଦନକାରିଣୀଙ୍କ ଦାବି ଉପରେ ନୂତନ ଏବଂ ନିରପେକ୍ଷ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ଏହି ରାୟ କେବଳ ଗୌରୀ ଜେନାଙ୍କ ପାଇଁ ନୁହେଁ, ବରଂ ରାଜ୍ୟର ହଜାର ହଜାର ବିବାହିତ ଝିଅଙ୍କ ପାଇଁ ଏକ ନୂଆ ଆଶାର ଦ୍ୱାର ଖୋଲିଦେଇଛି। ଏହା ସ୍ପଷ୍ଟ କରିଛି ଯେ ବିବାହ ପରେ ମଧ୍ୟ ଝିଅଙ୍କ ପରିବାରିକ ଓ ଆଇନଗତ ଅଧିକାର ଅକ୍ଷୁଣ୍ଣ ରହିଥାଏ।