ନୂଆଦିଲ୍ଲୀ: ଜାତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞନେଶ କୁମାରଙ୍କୁ ପଦରୁ ହଟାଇବାକୁ ବିରୋଧୀ ଦଳ ସଂସଦରେ ପ୍ରସ୍ତାବ ଆଗତ କରିଛି । ମୋଟ ୧୯୩ ଜଣ ବିରୋଧୀ ସାଂସଦ ସଂସଦର ଉଭୟ ଗୃହରେ ପୃଥକ ପୃଥକ ପ୍ରସ୍ତାବ ଦାଖଲ କରିଛନ୍ତି । ଯେଉଁଥିରେ ଲୋକସଭୀରୁ ୧୩୦ ଏବଂ ରାଜ୍ୟସଭାରୁ ୬୩ ଜଣ ସାଂସଦ ସାମିଲ ରହିଛନ୍ତି ।
ଦେଶରେ ପ୍ରଥମ ଥର ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଦରୁ ହଟାଇବାକୁ ବିରୋଧୀ ଦଳ ପ୍ରସ୍ତାବ ଦେଇଛନ୍ତି । ତୃଣମୂଳ କଂଗ୍ରେସର ନେତୃତ୍ୱରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିରେ ଇଣ୍ଡି ମେଣ୍ଟର ସମସ୍ତ ଦଳ ସମର୍ଥନ ଜଣାଇଛନ୍ତି । ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ୭ ମୁଖ୍ୟ ଅଭିଯୋଗ ଆସିଛି । ପକ୍ଷପାତ ଆଚରଣ, ନିର୍ବାଚନୀ ଅନିୟମିତତା ଯାଞ୍ଚରେ ବାଧା ସୃଷ୍ଟି କରିବା, ବଡ଼ ସଂଖ୍ୟାରେ ମତଦାତାଙ୍କୁ ବଞ୍ଚିତ କରିବା ଏବଂ ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତାକୁ ପ୍ରଭାବିତ କରିବା ଭଳି ଅଭିଯୋଗ କରିଛି ।
ଏହି ନୋଟିସ୍ ଆଗତ ହେବା ପରେ ସଂସଦରେ ହଙ୍ଗାମା ଆରମ୍ଭ ହୋଇଯାଇଛି। ନିର୍ବାଚନ ଆୟୋଗ ନିରପେକ୍ଷ ନୁହଁନ୍ତି ବରଂ ଶାସଦ ଦଳ ପାଇଁ କାମ କରୁଥିବାର ବିରୋଧୀ ଅଭିଯୋଗ ଆଣିଛନ୍ତି । ଭାରତୀୟ ସମ୍ବିଧାନର ଧାରା ୩୨୪(୫) ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ ବିଚାରପତିଙ୍କ ପରି ପ୍ରକ୍ରିୟା ଲାଗୁ ହୋଇଥାଏ ।
ଏହି ମହାଭିଯୋଗ ପାଇଁ ଉଭୟ ଗୃହରେ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ, ଯାହା ବିରୋଧୀଙ୍କ ପାଖରେ ବର୍ତ୍ତମାନ ନାହିଁ । କିନ୍ତୁ ଏହି ପଦକ୍ଷେପ ରାଜନୈତିକ ଚାପ ପ୍ରୟୋଗ କରିବା ଏବଂ ଜାତୀୟ ସ୍ତରକୁ ପ୍ରସଙ୍ଗକୁ ଉଠାଇବାର ଏକ ପ୍ରୟାସ। ସରକାର କିମ୍ବା ନିର୍ବାଚନ କମିଶନଙ୍କ ପକ୍ଷରୁ ଏପର୍ୟ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ, ଯଦିଓ ଜ୍ଞାନେଶ କୁମାର ପୂର୍ବରୁ ଏସଆଇଆରକୁ ଯୋଗ୍ୟ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟଙ୍କୁ ହଟାଇବା ପାଇଁ ଏକ ଉପାୟ ଭାବରେ ବର୍ଣ୍ଣନା କରିଥିଲେ।