ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଅଭିଯୋଗର ଜବାବ ଦେଇଛି ନିର୍ବାଚନ ଆୟୋଗ । ଆୟୋଗ କହିଛନ୍ତି ଯେ, ସଦ୍ୟତମ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ସେହି ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ଏମିତି କଥା ୨୦୧୮ରେ ମଧ୍ୟ ପ୍ରଦେଶର ତତ୍କାଳୀନ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ କମଲନାଥ କହିଥିଲେ । ଆଜି କଂଗ୍ରେସ ସାଂସଦ ସେହି ପୁରୁଣା କଥାକୁ ନେଇ ବିଳାପ କରୁଛନ୍ତି । ପୁରୁଣା ବୋତଲରେ ନୂଆ ମଦ ।
ନିର୍ବାଚନ ଆୟୋଗ କହିଛନ୍ତି ଯେ, ୨୦୧୯ରେ ରିଡେବଲ ଭୋଟର ତାଲିକା ଉପଲବ୍ଧ କରାଇବା କଂଗ୍ରେସର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । କୌଣସି ବି ପୀଡିତ ପ୍ରାର୍ଥୀ ୪୫ ଦିନ ଭିତରେ ସମ୍ବନ୍ଧିତ ହାଇକୋର୍ଟରେ ନିଜର ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ଯାଚିକା ଦାୟର କରି ପାରିବେ ।
ଋାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଆୟୋଗ କହିଛନ୍ତି, ଯଦି ନିର୍ଚାଚନ ଯାଚିକା ଦାୟର କରିଥାନ୍ତେ ତେବେ ସିସିଟିଭି ଫୁଟେଜ୍ ସୁରକ୍ଷିତ ରଖାଯାଇଥାନ୍ତା । ଅନ୍ୟଥା ଏହାର କୌଣସି ଉଦ୍ଦେଶ୍ୟ ନାହିଁ । ଉଦାହରଣ ସ୍ୱରୂପ ଏକ ଲକ୍ଷ ମତଦାତା କେନ୍ଦ୍ରରେ ସିସିଟିଭି ଫୁଟେଜର ସମୀକ୍ଷା ପାଇଁ ଏକ ଲକ୍ଷ ଦିନ ଲାଗିବ ଅର୍ଥାତ ୨୭୩ ବର୍ଷ । ଆଉ ଏହାର କୌଣସି ଆଇନଗତ ଫଳାଫଳ ବାହାରିବା ସମ୍ଭବ ନୁହେଁ ।
ନିର୍ବାଚନ ଆୟୋଗ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଏମିତି ଅନେକ ଅଭିଯୋଗ ଲଗାଯାଇଛି । ମିଡିଆରେ ରିପୋର୍ଟ କରାଯାଇଥିବା ବେଳେ ସେ କେବେ ବି କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି । ୨୦୨୪ ଡିସେମ୍ବରରେ ମହାରାଷ୍ଟ୍ର ନିର୍ବାଚନ ପ୍ରସଙ୍ଗ ଉଠାଇଲେ । ଏହା ପରେ କଂଗ୍ରେସର ଜଣେ ଓକିଲ ଇସିଆଇଙ୍କୁ ଚିଠି ଲେଖିଲେ । ଆମର ଉତ୍ତର ୨୦୨୪ ଡିସେମ୍ବରରେ ଇସିଆଇର ୱେବସାଇଟରେ ସାର୍ବଜନୀନ ଭାବେ ଉପଲବ୍ଧ । ତଥାପି ରାହୁଲ ଗାନ୍ଧୀ ଅଭିଯୋଗ କରି ଆସୁଛନ୍ତି ଯେ, ନିର୍ବାଚନ ଆୟୋଗ କେବେ ଉତ୍ତର ଦେଇ ନାହିଁ ।