ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗ ଉପରେ ଲଗାତାର ଭୋଟର ତାଲିକାରେ ଅନିୟମିତତାର ଅଭିଯୋଗ ଲଗାଇ ଆସିଛନ୍ତି । ସଦ୍ୟତମ ମାମଲା କର୍ଣ୍ଣାଟକକୁ ନେଇ ରହିଛି । ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଏକ ଲକ୍ଷ ଭୋଟ୍ କଟାଯିବାର ଅଭିଯୋଗ କରିଛନ୍ତି ଏବଂ ଭୋଟ୍ ଚୋରି ହୋଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ଆୟୋଗ ଏବେ ରାହୁଲଙ୍କୁ ଶପଥ ପତ୍ର ପଠାଇଛନ୍ତି ଏବଂ କହିଛନ୍ତି ଏହା ଉପରେ ଦସ୍ତଖତ କରନ୍ତୁ ଯେ, ଯାହା କହୁଛନ୍ତି ସତ କହୁଛନ୍ତି । ଯଦି ଭୁଲ୍ ପ୍ରମାଣିତ ହୁଅନ୍ତି ତେବେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ପର୍ଯ୍ୟନ୍ତ ଏହି ଶପଥ ପାଠକୁ ନେଇ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏହା ମଧ୍ୟରେ ନିର୍ବାଚନ ଆୟୋଗ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ କାଗଜରେ ସାଇନ କରନ୍ତୁ କିମ୍ବା ଦେଶକୁ କ୍ଷମା ମାଗନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ।
ନିର୍ବାଚନ ଆୟୋଗଙ୍କ କହିବା କଥା ଯଦି ରାହୁଲ ଗାନ୍ଧୀଙ୍କୁ ଲାଗୁଛି ଯେ, ତାଙ୍କ ବିଶ୍ଳେଷଣ ଠିକ୍ ଏବଂ ଆମ ବିରୋଧରେ ଲଗାଯାଇଥିବା ଅଭିଯୋଗ ଠିକ୍ ତେବେ ଶପଥ ପତ୍ରରେ ଦସ୍ତଖତ କରନ୍ତୁ । ଯଦି ରାହୁଲ ଗାନ୍ଧୀ ଦସ୍ତଖତ ନ କରନ୍ତି ତେବେ ଏହା ପ୍ରମାଣିତ ହେବ ଯେ, ସେ ନିଜେ ଯାହା କହୁଛନ୍ତି ତାହା ଉପରେ ନିଜେ ବିଶ୍ୱାସ କରୁ ନାହାନ୍ତି । ଏଥିରୁ ସ୍ପଷ୍ଟ ହେବ ଯେ, ରାହୁଲଙ୍କ ଦାବି ମିଥ୍ୟା ଅଟେ । ସେ ନିର୍ବାଚନ ଆୟୋଗ ଉପରେ ଅଭିଯୋଗ କରି ଆମ ପ୍ରତି ଲୋକଙ୍କ ବିଶ୍ୱାସ ଭାଙ୍ଗିବାର କାମ କରୁଛନ୍ତି । ତେଣୁ ରାହୁଲଙ୍କୁ ଦେଶକୁ କ୍ଷମା ମାଗିବା ଉଚିତ୍ ।
ଏହିପରି ଭାବେ ନିର୍ବାଚନ ଆୟୋଗ ରାହୁଲଙ୍କୁ ଦୁଇଟି ବିକଳ୍ପ ଦେଇଛନ୍ତି । ଗୋଟିଏ ହେଲା ଶପଥ ପତ୍ରରେ ଦସ୍ତଖତ କରନ୍ତୁ କିମ୍ବା ଦେଶକୁ କ୍ଷମା ମାଗନ୍ତୁ । ହେଲେ ରାହୁଲ ନିଜ ଆଭିମୁଖ୍ୟରେ ଅଟଳ ରହିଛନ୍ତି । ବେଙ୍ଗାଲୁରୁରେ ଏହି ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ରାଲିର ଆୟୋଜନ ହେଉଛି । ଏଥିରେ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି । କଂଗ୍ରେସର ନେତାମାନେ ବିହାରରେ ଚାଲୁଥିବା ଭୋଟର ତାଲିକାର ପୁନଃ ନିରୀକ୍ଷଣ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।