ତିରୁଅନନ୍ତପୁରମ: ଦକ୍ଷିଣ ଭାରତର ରାଜନୀତିରେ ଯାହା କେବେ ଘଟି ନ ଥିଲା ତାହା ଏବେ ଘଟିଛି। କେରଳର ତିରୁଅନନ୍ତପୁରମ ନଗର ନିଗମ ନିର୍ବାଚନରେ ଭାରୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି। ଚାରି ଦଶନ୍ଧି ଧରି ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ(ଏଲଡିଏଫ)ର ଗଡ଼ ଥିବା ତିରୁଅନନ୍ତପୁରମରେ ଉଡ଼ିଛି ଗେରୁଆ ପତାକା, ଆଉ ଫୁଟିଛ ପଦ୍ମ। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏହି ପ୍ରଦର୍ଶନ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ବିଜେପିର ଏହି ଐତିହାସିକ ବିଜୟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ତିରୁଅନନ୍ତପୁରମ ନଗର ନିଗମର ୧୦୧ ସିଟରୁ ବିଜେପି ୫୦ଟିରେ ବିଜୟ ହାସଲ କରିଛି। ଏଲଡିଏଫ ୨୯ ସିଟରେ ଜିତି ପାରିଛି। କଂଗ୍ରେସ ନେତ୍ଵତ୍ଵାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ୟୁଡିଏଫ)କୁ ୧୯ ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଦୁଇଟି ସିଟ୍ ସ୍ଵାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି। ଜଣେ ପ୍ରାର୍ଥୀଙ୍କ ଦେହାନ୍ତ କାରଣରୁ ଗୋଟିଏ ଓ୍ଵାର୍ଡରେ ନିର୍ବାଚନ ସ୍ଥଗିତ ରହିଛି।
ବିଜେପିର ଏହି ବିଜୟ କେରଳ ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖରନଙ୍କ ପାଇଁ ବଡ଼ ସଫଳତା ବୋଲି କୁହାଯାଉଚି। ୨୦୨୪ ଲୋକସଭା ନିର୍ବାଚନରେ ଶଶି ଥରୁର ଚନ୍ଦ୍ରଶେଖରନଙ୍କୁ ମାତ୍ ଦେଇଥିଲେ। ମାତ୍ର ଏବେ ସ୍ଥାନୀୟ ନିର୍ବାଚନରେ ବିଜେପିର ବିଜୟ ସହିତ ଚନ୍ଦ୍ରଶେଖରଙ୍କ ଅବଶୋଷ ଦୂର ହୋଇଥିବ।
ଏହା ବାଦ୍ ପଲ୍ଲକଡ ମ୍ୟୁନିସିପାଲଟି ନିର୍ବାଚନରେ ବିଜେପି ବୃହତ ଦଳ ଭାବେ ଆଗକୁ ଆସିଛି। ଦଳ ୨୫ଟି ସିଟ୍ ଜିତିଥିବା ବେଳେ ୟୁଡିଏଫ ଜିତିଛି ୧୯ ଏବଂ ଏଲଡିଏଫ ୯ ସିଟରେ ସୀମିତ ରହିଛି। ଏହି ବିଜୟ ସହ ବିଜେପି ପଲ୍ଲକଡ଼ରେ ନିଜର ସ୍ଥିତି ମଜବୁତ କରି ପାରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏକ ପୋଷ୍ଟ କରି ତିରୁବନନ୍ତପୁରମର ଜନତାଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, କେରଳର ସ୍ଥାନୀୟ ନଗର ନିଗମ ନିର୍ବାଚନରେ ବିଜେପି ଏବଂ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ସମସ୍ତ ରାଜ୍ୟବାସୀଙ୍କ ପ୍ରତି ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି। କେରଳ ଏବେ ୟୁଡିଏଫ ଏବଂ ଏଲଡିଏଫ ଉପରେ ବିରକ୍ତ ପ୍ରକାଶ କରିଲେଣି। ରାଜ୍ୟର ଲୋକମାନେ ଏବେ ଏନଡିଏକୁ ଏକମାତ୍ର ବିକଳ୍ପ ଭାବରେ ଦେଖନ୍ତି ଯାହା ସୁଶାସନ ପ୍ରଦାନ କରିପାରିବ ଏବଂ ସମସ୍ତଙ୍କ ପାଇଁ ସୁଯୋଗରେ ପରିପୂର୍ଣ୍ଣ ଏକ ବିକଶିତ କେରଳ ଗଠନ କରିପାରିବ।
କେରଳରେ ଦୁଇଟି ପର୍ଯ୍ୟାୟ ଡିସେମ୍ବର ୯ ଓ ଡିସେମ୍ବର ୧୧ରେ ମ୍ୟୁନିସିପାଲଟି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୭୩.୬୯ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନର ଫଳାଫଳ ୨୦୨୬ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ନୂତନ ସମୀକରଣ ସୃଷ୍ଟି କରିପାରେ। ସବୁଠୁ ବଡ଼ କଥା ଶଶି ଥରୁରଙ୍କ ଗଡ଼ରେ ବିଜେପିର ଏହି ବିଜୟ କଂଗ୍ରେସକୁ ବଡ଼ ଝଟକା ଲାଗିଛି।