ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଜି ମାରିଲା ବିଜେଡି । ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟୀ ହୋଇଛି । ବିଜେଡିର ବନମାଳୀ ବରିହାଙ୍କୁ ମିଳିଛି ଏନଏସି ଅଧ୍ୟକ୍ଷ ପଦ । ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସବିତା ଭୁଏଙ୍କୁ ୪୮୨୮ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଛନ୍ତି | ବିଜେଡିର ବନମାଳୀ ବରିହାଙ୍କୁ ସର୍ବମୋଟ୍ ୬୫୬୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ସବିତା ଭୁଏଙ୍କୁ ୧୭୩୭ ଖଣ୍ଡ ଭୋଟ୍ ଏବଂ ବିଜେପିର ଲକ୍ଷ୍ମୀ ବେହେରା ୧୫୩୨ ଖଣ୍ଡ ଭୋଟ୍ ପାଇଛନ୍ତି।ଗତ ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଭୋଟ ଗ୍ରହଣ ହୋଇଥିଲା । ଆଜି ଭୋଟ ଗଣତି ପରେ ବିଜେଡି ହାତକୁ ଯାଇଛି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ।
ସେପଟେ ଢେଙ୍କାନାଳ ହିନ୍ଦୋଳ NACରେ ବି ଚାଲିଛି ଭୋଟ୍ ଗଣତି । ହିନ୍ଦୋଳ ଏନ୍ଏସିର ୧୬ଟି ୱାର୍ଡ ପାଇଁ ନିର୍ବାଚନ ହୋଇଛି । ହିନ୍ଦୋଳ ଏନ୍ଏସିରେ ଅଧ୍ୟକ୍ଷ ପଦ ପାଇଁ ବିଜେପି ଓ ବିଜେଡି ଭିତରେ କଡ଼ା ଟକ୍କର ଚାଲିଥିବା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତିର ସମସ୍ତ ପ୍ରକ୍ରିୟା ଚାଲୁରହିଛି ।