କୋଲକାତା: ପଶ୍ଚିମବଙ୍ଗରେ ୧୫ ବର୍ଷର ମମତା ସରକାରଙ୍କ ପତ୍ତନ ହୋଇଛି । ଐତିହାସିକ ବିଜୟ ହାସଲ କରି ସରକାର ଗଢ଼ିବା ଅଭିମୁଖେ ଅଗ୍ରସର ହେଉଛି ବିଜେପି । ଏହାରି ମଧ୍ୟରେ ସରକାରୀ ବାବୁମାନଙ୍କ ମଧ୍ୟରେ ଛନକା ପଶିଲାଣି । ସେପଟେ କୌଣସି ସରକାରୀ ଫାଇଲ ସ୍ଥାନାନ୍ତର ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଏ ନେଇ ସମସ୍ତ ବିଭାଗ ମୁଖିଆ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଦୁଶ୍ୟନ୍ତ ନରିଆଲା ।
ମୁଖ୍ୟ ଶାସନ ସଚିବ ଚିଠିରେ ତାଗିଦ କରିଛନ୍ତି ଯେ କୌଣସି ଦସ୍ତାବିଜ କିମ୍ବା ଫାଇଲକୁ କ୍ଷତି ପହଁଚାଇବାକୁ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନାହିଁ । କୌଣସି ଜେରକ୍ସ କିମ୍ବା ସ୍କାନିଂ ପାଇଁ ମଧ୍ୟ ଅନୁମତି ନାହିଁ । ସମସ୍ତ ବିଭାଗର ପ୍ରମୁଖ୍ୟମାନେ ଏହା ଉପରେ ବ୍ୟକ୍ତିଗତ ଧ୍ୟାନ ଦେବେ । ଏହି ଚିଠି ଅତିରିକ୍ତ ଶାସନ ସଚିବ, ଆରକ୍ଷୀ ମହାନିର୍ଦ୍ଦେଶକ, ସମସ୍ତ ବିଭାଗର ଆୟୁକ୍ତ, କୋଲକାତା ପୋଲିସ କମିଶନର ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇ ଦିଆଯାଇଛି ।