ଦୁବାଇ- ପ୍ରଥମେ ତେହେରାନ ଉପରେ କ୍ରମାଗତ ଆକ୍ରମଣ, ତା’ପରେ ସମଗ୍ର ସଭ୍ୟତାକୁ ଛାରଖାର କରିଦେବାର ଧମକ ଏବଂ ଶେଷରେ ଅସ୍ତ୍ରବିରତି... ୩୯ ଦିନର ଯୁଦ୍ଧରେ ଇରାନ ଆମେରିକାକୁ ନାକେଦମ୍ କରିଦେଇଛି। ପ୍ରାୟ ୪୦ ବିଲିୟନ ଡଲାର ଖର୍ଚ୍ଚ କରି ମଧ୍ୟ ଆମେରିକା ଇରାନରେ କିଛି ଖାସ୍ ହାସଲ କରିପାରିନାହିଁ। ଓଲଟା ଓ୍ୱାଶିଂଟନକୁ ତେହେରାନର ସର୍ତ୍ତରେ ଏକ ଅସ୍ଥାୟୀ ବୁଝାମଣା କରିବାକୁ ପଡ଼ିଛି। ଆମେରିକା ମଧ୍ୟରେ ଏହାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ସମାଲୋଚନା ତେଜିଛି। ତେବେ ହ୍ୱାଇଟ୍ ହାଉସ୍ ପ୍ରବକ୍ତା କାରୋଲିନା ଲାଭିଟ୍ ଇରାନ ଅସ୍ତ୍ରବିରତିକୁ ଆମେରିକାର ବିଜୟ ବୋଲି କହିଛନ୍ତି।
ପ୍ରକୃତରେ ଏହା ଇରାନର ବିଜୟ। କାରଣ, ଯୁଦ୍ଧ ପୂର୍ବରୁ ଯେଉଁ ସର୍ତ୍ତଗୁଡ଼ିକୁ ନେଇ ଇରାନ ଉପରେ ଚାପ ଥିଲା, ତାହା ଏବେ ବହୁତ ପଛରେ ରହିଯାଇଛି। ଇରାନ ଏବେ ନିଜ ସର୍ତ୍ତରେ ବୁଝାମଣା ଚାହୁଁଛି। ଆମେରିକା ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି। ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ନେଫ୍ତାଲି ବେନେଟ୍ ଏହାକୁ ଇସ୍ରାଏଲ୍ ପାଇଁ ଆତ୍ମଘାତୀ ବୋଲି ଦର୍ଶାଇଛନ୍ତି।
ଏହା ଆମେରିକାର ପରାଜୟ କାହିଁକି? :
୧. ସଂଶୋଧିତ ୟୁରାନିୟମ୍ ପ୍ରସଙ୍ଗ: ଆମେରିକାର ତାଲିକାରେ ଏପର୍ଯ୍ୟନ୍ତ ଇରାନ ସହ ବୁଝାମଣାର ପ୍ରଥମ ସର୍ତ୍ତ ସଂଶୋଧିତ ୟୁରାନିୟମକୁ ସ୍ଥାନାନ୍ତର କରିବା ଥିଲା, କିନ୍ତୁ ଏବେ ଏଥିରେ ପରିବର୍ତ୍ତନ ଆସିଛି। ୨ ସପ୍ତାହର ଯେଉଁ ବୁଝାମଣା ହୋଇଛି, ସେଥିରେ ଇରାନ ପକ୍ଷରୁ କେବଳ ହୋର୍ମୁଜ୍ ପ୍ରଣାଳୀକୁ ଖୋଲାଯିବ। ସେଇଟା ମଧ୍ୟ ସର୍ତ୍ତମୂଳକ। ଇରାନ ଟୋଲ୍ ଆଦାୟ କରି ହୋର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକୁ ଯିବାକୁ ଅନୁମତି ଦେବ। ଏପର୍ଯ୍ୟନ୍ତ ଏହି ଯାତାୟାତ ମାଗଣା ଥିଲା।
୨. ହଠାତ୍ ଅସ୍ତ୍ରବିରତି: ଆମେରିକା ଅତି କ୍ଷିପ୍ର ଗତିରେ ଅସ୍ତ୍ରବିରତି କରିଛି। ଏଥିରେ ସେ କେବଳ ନିଜର ସ୍ୱାର୍ଥ ଦେଖିଛି। INSS ର ସିନିୟର ଫେଲୋ ଡେନିସ୍ ସିଟ୍ରିନୋଭିଚ୍ଙ୍କ କହିବା ଅନୁସାରେ, ଯୁଦ୍ଧର ଖର୍ଚ୍ଚ କ୍ରମାଗତ ଭାବେ ବଢ଼ୁଥିଲା। ତେଣୁ ଆମେରିକା ଏଥିରୁ ବାହାରିବାକୁ ଚାହୁଁଥିଲା। ଶେଷରେ ସେ ଇରାନର ପ୍ରସ୍ତାବକୁ ମାନିନେଲେ। ଏଥିପାଇଁ ଆମେରିକା ମଧ୍ୟ ପ୍ରାଚ୍ୟର ନିଜର ସହଯୋଗୀ ଦେଶମାନଙ୍କ ସହ କୌଣସି ଆଲୋଚନା ମଧ୍ୟ କରିନାହିଁ।
୩. ଆତ୍ମସମର୍ପଣର ଆକ୍ଷେପ: ଆମେରିକୀୟ ସିନେଟର କ୍ରିସ୍ ମର୍ଫି ଏହାକୁ ଆତ୍ମସମର୍ପଣ ବୋଲି କହିଛନ୍ତି। ମର୍ଫିଙ୍କ କହିବା କଥା ଯେ, ଇରାନ ଦେଇଥିବା ପ୍ରସ୍ତାବକୁ ଟ୍ରମ୍ପ ଯେଭଳି ଭାବେ ଗ୍ରହଣ କଲେ, ତାହା ଆତ୍ମସମର୍ପଣ ସଦୃଶ। ଏହାଦ୍ୱାରା ସାରା ବିଶ୍ୱକୁ ଏହି ସନ୍ଦେଶ ଗଲା ଯେ, ହୋର୍ମୁଜ୍ ପ୍ରଣାଳୀ ଉପରେ କେବଳ ଇରାନର ନିୟନ୍ତ୍ରଣ ରହିଛି।
୪. ଯୁଦ୍ଧର ଭୟ ସମାପ୍ତ: ଡେନିସ୍ ସିଟ୍ରିନୋଭିଚ୍ଙ୍କ ଅନୁସାରେ, ଆଗକୁ ହେବାକୁ ଥିବା ଆଲୋଚନାରେ ଆମେରିକା ଆଉ ଯୁଦ୍ଧର ଧମକ ଦେଇପାରିବ ନାହିଁ। ବୁଝାମଣା ଏବେ କେବଳ ବ୍ୟବସାୟିକ ସ୍ୱାର୍ଥ ଆଧାରରେ ହୋଇପାରିବ। ଇରାନ ଏବେ ଆମେରିକାର ଯୁଦ୍ଧକୁ ଡରିବ ନାହିଁ, କାରଣ ସେ ସବୁଠାରୁ ଖରାପ ସ୍ଥିତି ଦେଖିସାରିଛି।
୫. ଇସଲାମିକ ରିପବ୍ଲିକର ମଜଭୁତ ସ୍ଥିତି: ଯୁଦ୍ଧ ଆରମ୍ଭରେ ରାଷ୍ଟ୍ରପତି ଟ୍ରମ୍ପ ଶାସନ ପରିବର୍ତ୍ତନ କଥା କହିଥିଲେ, କିନ୍ତୁ ୪୦ ଦିନ ପରେ ମଧ୍ୟ ଇରାନ ଉପରେ ଇସଲାମିକ ରିପବ୍ଲିକର ଶକ୍ତ କବଜା ରହିଛି। ଟ୍ରମ୍ପ ବୁଝାମଣା ପାଇଁ ସର୍ବୋଚ୍ଚ ନେତା ମୁଜ୍ତବା ଖାମେନେଇଙ୍କ ସହ ହିଁ ଯୋଗାଯୋଗ କରିଛନ୍ତି। ଏପରିକି ସେ ଏକ ପୋଷ୍ଟରେ ମୁଜ୍ତବାଙ୍କୁ ଜଣେ କମ୍ କଠୋରପନ୍ଥୀ ନେତା ବୋଲି ମଧ୍ୟ କହିଛନ୍ତି।
ଟ୍ରମ୍ପ ଇରାନର ସର୍ତ୍ତକୁ ଶ୍ରେଷ୍ଠ ବୋଲି କହିଲେ
ସ୍କାଏ ନ୍ୟୁଜ୍ ସହ କଥା ହେବା ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ତ୍ତଗୁଡ଼ିକୁ ଶ୍ରେଷ୍ଠ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଏଥିରେ ସବୁକିଛି ଅଛି। ଅଧିକାଂଶ କଥାରେ ଆମର ସହମତି ହୋଇଛି। ଯେଉଁମାନେ ଏ ବିଷୟରେ ଜାଣିନାହାନ୍ତି, ସେମାନେ ହିଁ ଏହାକୁ ଭୁଲ୍ ବୋଲି କହୁଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାର ଉଦ୍ଦେଶ୍ୟ ପୂରଣ ହୋଇଛି ଏବଂ ଇରାନ ଏବେ ଆମ ପାଇଁ ବିପଦ ନୁହେଁ।