Home >
ସ୍ମିଥଙ୍କ ଦମଦାର ଶତକ, ନିର୍ଣ୍ଣାୟକ ମୁକାବିଲାରେ ଭାରତକୁ ୨୮୭ ରନ ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ
Khabar Odisha:sports--cricket--odisha--australia-gave-287-target-to-india-in-last-odi-in-bengaluru
ବେଙ୍ଗାଲୁରୁ, ଜାନୁଆରୀ୧୯(ଖବର ଓଡ଼ିଶା):

 ଏନ ଚିନ୍ନାସ୍ଵାମୀ  ଷ୍ଟାଡିୟମରେ ଖେଳାଯାଉଥିବା ଶୃଙ୍ଖଳାର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥ(୧୩୧) ଓ ମାରନସ ଲାବୁସନେ(୫୪)ଙ୍କ  ଜରିଆରେ  ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୨୮୬ ରନ କରିବାକୁ ସକ୍ଷମ  ହୋଇଛି। ଏହି ମ୍ୟାଚ୍ ଜିତି ଶୃଙ୍ଖଳା ହାତେବାଇ ଲାଗି ଭାରତ ସାମ୍ନାରେ ୨୮୭ ରନର ବିଜୟ ଲକ୍ଷ୍ୟ ମିଳିଛି। ଦ୍ଵିତୀୟ ଓ୍ଵିକେଟରେ ସ୍ମିଥ ଓ ଲାବୁସନେଙ୍କ ମଧ୍ୟରେ ୧୨୭ ରନର ଭାଗିଦାରୀ ଅଷ୍ଟ୍ରେଲିଆ ଇନିଂସର ସବୁଠୁ ମହତ୍ଵପୂର୍ଣ୍ଣ ଘଟଣା ଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୪ ଓ  ରବିନ୍ଦ୍ର ଜାଡ଼େଜା ୨ଟି ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଆଷ୍ଟ୍ରେଲିଆର ଆରମ୍ଭ ଭଲ ନଥିଲା। ୧୮ ରନ ସ୍କୋରରେ ସାମି ଡେଭିଡ୍ ଓ୍ଵାର୍ଣ୍ଣର(୩୩)ଙ୍କୁ ଆଉଟ୍ କରି ଭ୍ରମଣକାରୀ ଦଳକୁ ପ୍ରଥମ ଝଟକା ଦେଇଥିଲେ। ଏହା ପରେ ୪୬ ରନ ସ୍କୋରରେ ଫିଞ୍ଚ(୧୯) ରନ ଆଉଟ୍ ହୋଇଥିଲେ। ୪୬ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ଦଳର ବ୍ୟାଟିଂ ମଙ୍ଗ ଷ୍ଟିଭ୍ ସ୍ମିଥ ଓ ମାରନସ ଲାବୁସନେ ସମ୍ଭାଳିଥିଲେ। ଉଭୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୧୨୭ ରନ ଯୋଡ଼ି ଦଳର ସ୍ଥିତିକୁ ମଜବୁତ କରିବା ସହିତ ବଡ଼ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ଦଳ ପାଇଁ ଚିନ୍ତାର କାରଣ ପାଲଟିଥିବା ଏହି ଯୋଡ଼ିକୁ ରବିନ୍ଦ୍ରା ଜାଡ଼େଜା ୩୨ ତମ ଓଭରରେ ଭାଙ୍ଗିଥିଲେ। ଲାବୁସନୋ ୬୪ ବଲରୁ ୫ ଚୌକା ଜରିଆରେ ୫୪ ରନ କରି ପାଭିଲିୟନ  ଫେରିଥିଲେ। ଲାବୁସନେଙ୍କ ଏହା ଦିନିକିଆ କ୍ରିକେଟର ପ୍ରଥମ ଅର୍ଦ୍ଧଶତକ ଥିଲା। ସେହି ଓଭରରେ ଜାଡ଼େଜା ମିଚେଲ  ଷ୍ଟାର୍କଙ୍କୁ ଆଉଟ୍ କରି ଭାରତକୁ ଚତୁର୍ଥ ସଫଳତା ଦେଇଥିଲେ।

ଏହା ମଧ୍ୟରେ ଗୋଟିଏ ପଟେ ଅଷ୍ଟ୍ରେଲିଆ ଇନିଂସକୁ ସମ୍ଭାଳିଥିବା ଷ୍ଟିଭ୍ ସ୍ମିଥ ଦମଦାର ବ୍ୟାଟିଂ କରି ୧୧୭ ବଲରୁ ଦିନିକିଆ କ୍ରିକେଟରେ ନବମ ଶତକ  ହାସଲ କରିଥିଲେ। ଆଲେକ୍ସ କେରି ୩୫ ରନ କରି ବିଦାୟ ନେଇଥିଲେ। ଆଷ୍ଟନ ଟର୍ଣ୍ଣର(୪) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୪୮ ତମ ଓଭରରେ ସାମି ସ୍ମିଥଙ୍କ ଦମଦାର ପାଳିର ଅନ୍ତ ଘଟାଇଥିଲେ। ସ୍ମିଥ ୧୩୨ ବଲରୁ ୧୪ ଚୌକା ଓ ୧ ଛକା ଜରିଆରେ ୧୩୧ ରନର ଲଢୁଆ ଇନିଂସ ଖେଳିଥିଲେ। 

ଏହା ପରେ ସାମି ପାଟ କମିନ୍ସଙ୍କୁ କ୍ଲିନ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ୨୭୬ ରନ ସ୍କୋରରେ ଅଷ୍ଟମ ଝଟକା ଦେଇଥିଲେ। ଶେଷରେ ଅଷ୍ଟ୍ରେଲିଆ ୯ ଓ୍ଵିକେଟ୍ ହରାଇ ୨୮୬ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ଵିକେଟ୍ ନେଇଥିବା ବେଳେ ରବିନ୍ଦ୍ରା ଜାଡ଼ଜୋ ଦୁଇଟି ଓ୍ଵିକେଟ୍ ନେଇଥିଲେ। କୁଲଦୀପ ଯାଦବ ଓ ନବଦୀପ ସାଇନି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।

Subscribe

National International State Sports Entertainment