ଧର୍ମଶାଳା: ଆଇପିଏଲ୍ରେ ଆଜି ଏକ ହାଇଭୋଲଟେଜ୍ ମୁକାବିଲା। ଧର୍ମଶାଳାର ମନୋରମ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ (PBKS) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI)। ସନ୍ଧ୍ୟା ୭:୩୦ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ ପଞ୍ଜାବ ପାଇଁ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି।
ପଞ୍ଜାବ କିଙ୍ଗସ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ରୁ ୬ଟି ଜିତି ୧୩ ପଏଣ୍ଟ ସହ ତାଲିକାରେ ରହିଛି। କିନ୍ତୁ ଲଗାତାର ୪ଟି ମ୍ୟାଚ୍ ହାରିବା ଦଳର ମନୋବଳକୁ ଦୋହଲାଇ ଦେଇଛି। ଯଦି ଆଜି ମୁମ୍ବାଇ ଜିତିଯାଏ, ତେବେ ପଞ୍ଜାବ ପାଇଁ ପ୍ଲେ-ଅଫ୍ ରାସ୍ତା ଅତ୍ୟନ୍ତ କଠିନ ହୋଇଯିବ। କାରଣ ମୁମ୍ବାଇ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ପଞ୍ଜାବର ଖେଳ ବିଗାଡ଼ିବାର ସମ୍ପୂର୍ଣ୍ଣ ସୁଯୋଗ ରହିଛି।
ମୁମ୍ବାଇର ‘ଫ୍ଲପ୍’ ଷ୍ଟାର୍ଙ୍କ ଉପରେ ନଜର
ତାରକା ଖେଳାଳିଙ୍କୁ ନେଇ ଗଠିତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ସିଜନ ଏକ ଦୁଃସ୍ୱପ୍ନ ପରି ରହିଛି।ସୂର୍ଯ୍ୟକୁମାର ଯାଦବ ଚଳିତ ସିଜନରେ ସୂର୍ଯ୍ୟଙ୍କ ଆଭ୍ରେଜ୍ ମାତ୍ର ୧୭.୭ ରହିଛି। କିନ୍ତୁ ପଞ୍ଜାବ ବିପକ୍ଷରେ ତାଙ୍କର ପୁରୁଣା ରେକର୍ଡ ଜବରଦସ୍ତ, ସେ ୭ଟି ମ୍ୟାଚ୍ରୁ ୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।ଜସପ୍ରୀତ ବୁମରା ବିଶ୍ୱର ଏହି ନମ୍ବର-୧ ବୋଲର ୧୧ଟି ମ୍ୟାଚ୍ରୁ ମାତ୍ର ୩ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି।ରୋହିତ ଶର୍ମା ହିଟ୍ମ୍ୟାନ୍ ଭଲ ଫର୍ମରେ ଅଛନ୍ତି। ସେ ୬ଟି ପାରିରେ ୨୪୩ ରନ୍ ସଂଗ୍ରହ କରିଛନ୍ତି। ତାଙ୍କୁ ରୋକିବା ଅର୍ଶଦୀପ ସିଂଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ।
ପଞ୍ଜାବର ବୋଲିଂ ଓ ଫିଲ୍ଡିଂରେ ସୁଧାର ଜରୁରୀ
ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ପୂର୍ବରୁ ସ୍ୱୀକାର କରିଛନ୍ତି ଯେ, ଖରାପ ବୋଲିଂ ଏବଂ ଫିଲ୍ଡିଂ ଯୋଗୁଁ ଦଳ ମ୍ୟାଚ୍ ହାରୁଛି। ପାୱାରପ୍ଲେରେ ଅର୍ଶଦୀପ ସିଂ ଏବଂ ମଝି ଓଭରରେ ୟୁଜବେନ୍ଦ୍ର ଚହଲଙ୍କୁ କମାଲ କରିବାକୁ ପଡ଼ିବ। ଚହଲ ଏବଂ ସୂର୍ଯ୍ୟକୁମାରଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମଜାଦାର ହେବ, କାରଣ ଆଇପିଏଲ୍ରେ ଚହଲ ୪ ଥର ସୂର୍ଯ୍ୟଙ୍କୁ ଆଉଟ୍ କରିସାରିଛନ୍ତି।
ପ୍ରତିଶୋଧ ନେବ କି ମୁମ୍ବାଇ?
ଗତଥର ଯେତେବେଳେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ, ପଞ୍ଜାବ ୭ ୱିକେଟ୍ରେ ମୁମ୍ବାଇକୁ ପରାସ୍ତ କରିଥିଲା। ସେହି ମ୍ୟାଚ୍ରେ ପ୍ରଭସିମରନ୍ ସିଂ ଅପରାଜିତ ୮୦ ରନ୍ କରିଥିଲେ। ଆଜି ମୁମ୍ବାଇ ସେହି ପରାଜୟର ପ୍ରତିଶୋଧ ନେବାକୁ ପଡ଼ିଆକୁ ଓହ୍ଲାଇବ।ଧର୍ମଶାଳାର ଦ୍ରୁତ ପିଚ୍ରେ ରନ୍ ବର୍ଷା ହେବାର ସମ୍ଭାବନା ଅଛି। ଦେଖିବାକୁ ବାକି ରହିଲା, ପଞ୍ଜାବ ନିଜର ପ୍ଲେ-ଅଫ୍ ଆଶା ଉଜ୍ଜୀବିତ ରଖୁଛି ନା ମୁମ୍ବାଇ ପଞ୍ଜାବକୁ ମାତ୍ ଦେଉଛି।