ନୂଆଦିଲ୍ଲୀ: ରାତି ପାହିଲେ ଭାରତ-ପାକିସ୍ତାନ ମ୍ୟାଚ । ଯାହାକୁ କ୍ରିକେଟ୍ ପ୍ରେମୀ ଅତି ଉତ୍କଣ୍ଠାର ସହିତ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଏହି ମ୍ୟାଚକୁ ବହୁ ଭାରତୀୟ ବିରୋଧ କରିଛନ୍ତି । ଏହାକୁ ବୟକଟ୍ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ହୋଇଛି । ସେହିପରି ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପରିବାର ମଧ୍ୟ ସମାନ ଦାବି କରିଛନ୍ତି ।
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମନ ଦ୍ୱିବେଦୀଙ୍କ ବିଧବା ପତ୍ନୀ ଐଶନ୍ୟା ଦ୍ୱିବେଦୀ ଭାରତ-ପାକିସ୍ତାନ ଏସିଆ କପ୍ ୨୦୨୫ ମ୍ୟାଚ୍କୁ ଦୃଢ଼ ବିରୋଧ କରିଛନ୍ତି । ସମସ୍ତଙ୍କୁ ମ୍ୟାଚ୍ ବର୍ଜନ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ ଜଣଙ୍କ ବଳିଦାନକୁ ଅଣଦେଖା କରାଯାଉଛି ଏବଂ ପାକିସ୍ତାନ ଭଳି ଆତଙ୍କବାଦୀ ରାଷ୍ଟ୍ର ସହିତ କ୍ରିକେଟ୍ ଖେଳିବା ସହିଦ ପରିବାରଙ୍କ କ୍ଷତ ଉପରେ ଲୁଣ ଛିଞ୍ଚିବା ସହ ସମାନ ।
ଐଶନ୍ୟା ଦ୍ୱିବେଦୀ ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଇକୁ କହିଛନ୍ତି, "ବିସିସିଆଇ ଏହି ମ୍ୟାଚ୍ ଗ୍ରହଣ କରିବା ଉଚିତ୍ ନୁହେଁ। ଆମର ଖେଳାଳିମାନଙ୍କୁ ଜାତୀୟତାବାଦୀ କୁହାଯାଏ, କିନ୍ତୁ ଜଣେ ଦୁଇ ଜଣଙ୍କୁ ବାଦଦେଲେ ଅନ୍ୟ କେହି ଆଗକୁ ଆସି ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରି ନଥିଲେ। ଦେଶ ପାଇଁ ଠିଆ ହେବା ସେମାନଙ୍କର ନୈତିକ ଦାୟିତ୍ୱ ଥିଲା। କିନ୍ତୁ ସେମାନେ ଏପରି କରୁନାହାଁନ୍ତି।"
ସେ ପ୍ରଶ୍ନ ଉଠାଇଥିଲେ ଯେ ମ୍ୟାଚ୍ ରୁ ହେଉଥିବା ରାଜସ୍ୱ କେଉଁ କାମରେ ବ୍ୟବହାର କରାଯିବ । ପାକିସ୍ତାନ ସେହି ଟଙ୍କାକୁ କେବଳ ଆତଙ୍କବାଦ ପାଇଁ ବ୍ୟବହାର କରିବ । ପ୍ରାୟୋଜକ ଏବଂ ପ୍ରସାରକମାନେ ମଧ୍ୟ ଚିନ୍ତା କରିବା ଉଚିତ ଯେ ସେମାନଙ୍କର ଜାତୀୟତା କେବଳ ସେହି ୨୬ ପରିବାର ପର୍ଯ୍ୟନ୍ତ ସୀମିତ ନୁହେଁ କି ? ଟିଭି ଚାଲୁ କରନ୍ତୁ ନାହିଁ, ଏହି ମ୍ୟାଚ୍ ବୟକଟ କରନ୍ତୁ।"
ଅନ୍ୟପକ୍ଷରେ, ସୁପ୍ରିମକୋର୍ଟ ଗୁରୁବାର ଦିନ ଏହି ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।