ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ। ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ଜେରା କରିସାରିଛି। ଏବେ ପୁଣିଥରେ ସେଥିମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଶୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ୍।
ପୂର୍ବରୁ କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ଓ ସୁଟର୍ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରିଥିଲା। ସମସ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲକୁ ପଠାଇ ଦିଆଯାଇଥିଲାI
କୁରୁପତି ଏବଂ ଉମା ହତ୍ୟା ଘଟଣା ଦିନ ଅତି ନିକଟରୁ ପୀତବାସଙ୍କୁ ଗୁଳି କରିଥିଲେ। ପୋଲିସ ସେମାନଙ୍କୁ ସୋମବାର ଗିରଫ କରିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରିଥିଲା। ଏହା ପରେ ମଙ୍ଗଳବାର ବ୍ରହ୍ମପୁର SDJM କୋର୍ଟରେ ହାଜର କରାଯାଇଥିଲା। ପରେ ଦୁଇ ଜଣଙ୍କୁ ୪ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୋଲିସ କିନ୍ତୁ କୋର୍ଟ ଦୁଇଦିନ ପାଇଁ ଅନୁମତି ଦେଇଥିଲେ। ତେବେ ରିମାଣ୍ଡ ବେଳେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ଏବେ ସୁଦ୍ଧା ୧୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି କର୍ପୋରେଟର ମଳୟ ବିଷୋୟୀ ପ୍ରମୁଖ ଅଛନ୍ତି। କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ। ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଅତି ପାଖରୁ ଗୁଳି କରିଥିଲେ କୁରୁପତି ଓ ଚିଣ୍ଟୁ। ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଉଭୟ ।
ଅଧିକ ପଢନ୍ତୁ: ବ୍ୟକ୍ତିଗତଭାବେ ହାଜର ହେବାକୁ ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ