ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ବିଭିନ୍ନ ଜେଲରେ ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଚଢ଼ଉ କରାଯାଇଛି । ଶନିବାର ସକାଳୁ ଶ୍ରୀନଗର କେନ୍ଦ୍ରୀୟ କାରାଗାର ଓ କୁପୱାଡ଼ା ଜିଲ୍ଲା କାରଗାରରେ ଜମ୍ମ କାଶ୍ମୀର ପୋଲିସ କାଉଣ୍ଟର ଇଣ୍ଟିଲିଜେନ୍ସ ୱିଙ୍ଗ ପକ୍ଷରୁ ଚଢ଼ଉ ହୋଇଛି । କିଛି କଏଦୀ ଜେଲ୍ ଭିତରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଣାପଡ଼ିଛି ।
କୁଲଗାମ ଜିଲ୍ଲା ପୋଲିସ ମଧ୍ୟ ଆତଙ୍କବାଦୀ ଗୋଷ୍ଠୀ କିମ୍ବା ପାକ୍ ଅଧିକୃତ କାଶ୍ମୀର (ପିଓକେ)ରୁ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ସହ ସମ୍ପର୍କ ଥିବା ଅଭିଯୋଗରେ ଅନେକ ଲୋକଙ୍କ ଘର ତଲାସୀ ଅଭିଯାନ ଆରମ୍ଭ କରିଛି । ଯେଉଁମାନେ ବହୁ ବର୍ଷ ପୂର୍ବେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିଲେ ସେହିମାନଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି ।
ଏଠାରେ ପ୍ରକାଶ ଯୋଗ୍ୟ, ଜମ୍ମୁ କଶ୍ମୀରର କୁପୱାଡାର କେରାନ ସେକ୍ଟରରେ ସେନାର ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ୭ ତାରିଖରେ ଅନୁପ୍ରବେଶ ପ୍ରୟାସ ସମ୍ପର୍କରେ ଏଜେନ୍ସିଗୁଡ଼ିକଠାରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ କୁପୱାଡାର କେରାନ ସେକ୍ଟରରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାବଳ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖି ଏନକାଉଣ୍ଟର କରିଥିଲେ । ଯେଉଁଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।