କେନ୍ଦ୍ରାପଡ଼ା: ସମୁଦ୍ର ମଝିରେ ପାଟ୍ରୋଲିଂ କରୁଥିବାବେଳେ ଜଣେ ବନ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ । ମୃତ ବନ କର୍ମଚାରୀ ଜଣକ ହେଲେ ଚଞ୍ଚଳ ମାଇତି । ହୃଦ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାର୍ଯ୍ୟରତ କରୁଥିଲେ। ଗତକାଲି ରାତିରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ସମୁଦ୍ର ମଝିକୁ ଟ୍ରଲରେ ନେଇ ପାଟ୍ରୋଲିଂ ପାଇଁ ଯାଇଥିଲେ । ପାଖାପାଖି ୧୩ କିଲୋମିଟର ଦୂରକୁ ଯାଉଥିଲେ । ସମୁଦ୍ର ଭିତରେ ବେଆଇନ ମାଛ ମାରୁଥିବା ଆଉ ଏକ ଟ୍ରଲକୁ ଧରିଥିଲା ବନ ବିଭାଗ ।
ଏହା ପରେ ଚଞ୍ଚଳଙ୍କୁ ଶୋଷ ଲାଗିବାରୁ ପାଣି ପିଇବାକୁ ମାଗିଥିଲେ ଏବଂ ପିଇଥିଲେ । ପାଣି ପିଇ ସାରିବା ପରେ ହଠାତ୍ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । କେହି କିଛି କରିବା ପୂର୍ବରୁ ସେଠାରେ ହିଁ ଟଳି ପଡ଼ିଥିଲେ । ଟ୍ରଲରେ ଥିବା ବନ କର୍ମଚାରୀ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ଚଞ୍ଚଳଙ୍କୁ ତୁରନ୍ତ ଆଉ ଏକ ଟ୍ରଲରୁ ସାହାଯ୍ୟରେ କୂଳକୁ ଅଣାଯାଇଥିଲା । ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।