ବଢୁଛି ହାତୀମାନଙ୍କ ଉପଦ୍ରବ । କେତେବେଳେ ଲୋକମାନଙ୍କୁ ମାରି ଦେଉଛନ୍ତି ତ ଆଉ କେତେବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ତେବେ ଏହାରି ଭିତରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଂଜ ଗୁମ୍ମା ଓ ବଡଡେଙ୍ଗିଲେଲି ଗାଁ ରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ୪ଟି ହାତୀ ଗୁମ୍ମା ଓ ବଡଡେଙ୍ଗିଲେଲି ଗାଁକୁ ଆସି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅଛନ୍ତି । ତେବେ ଏନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ବନାଂଚଳ ଅଧିକାରୀ ଚନ୍ଦନ ଗମାଙ୍ଗଙ୍କ ନିର୍ଦ୍ଦେଶରେ କିଛି ବନରକ୍ଷୀ ଘଟଣା ସ୍ଥଳରେ ପହଂଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଥିବା ସହ ଲୋକଙ୍କୁ ସଚେତନ କରିଛନ୍ତି ।